ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚାରିଟି ଲୁଟ୍ ଓ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ସୁରଜ ନାୟକ(୨୮) ଏବଂ ଜଣେ ନାବାଳକ ରହିଛନ୍ତି ବୋଲି ତଦନ୍ତକାରୀ ଅଧିକାରୀ ବାସନ୍ତୀ ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୮ଟା ସମୟରେ ଦାରିଙ୍ଗବାଡ଼ି ଶିବ ମନ୍ଦିର ସାହିର ବାଦଲ କୁମାର ସାହୁ ତାଙ୍କ ରାଶନ ଦୋକାନ ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ । ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିବା ପରେ ସଟରର ତାଲା କଟାଯାଇଥିବା ଦେଖିଥିଲେ । ଦୋକାନ ଭିତରୁ ନଗଦ ୧୧ ହଜାର ଟଙ୍କା ସହ ବ୍ୟାଙ୍କ ପାସ୍ବୁକ୍, ଘରୋଇ ଗ୍ୟାସ୍ ଖାତା ଏବଂ ବିଭିନ୍ନ କାଗଜପତ୍ର ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ବାଦଲ ସେହିଦିନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ନଂ. ୨୦୪/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ତଦନ୍ତ ପରେ ଜଣେ ନାବାଳକଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ଗତ ୧୫ ଦିନ ମଧ୍ୟରେ ଦାରିଙ୍ଗବାଡ଼ି ସହରରେ ଚାରିଟି ଲୁଟ୍ ଓ ଚୋରି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି । ଏହି ଚାରିଟି ଘଟଣା ମଧ୍ୟରୁ ବୁଧବାର ରାତିର ରାଶନ ଦୋକାନ ଚୋରି ଘଟଣାରେ ପୁଲିସକୁ ସଫଳତା ମିଳିଛି । ଅନ୍ୟ ତିନୋଟି ବଡ଼ଧରଣର ଲୁଟ୍ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ିର ଅଶୋକ କୁମାର ସାହୁଙ୍କ ଘରୁ ସୁନା ଅଳଙ୍କାର, ରୁପା ଓ ନଗଦ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ଅଭିଯୋଗ ରହିଛି । ସେହିପରି ପ୍ରାୟ ୧୦ ଦିନ ପୂର୍ବରୁ ଜାଗୃତି ସାହିର ସଦାନନ୍ଦ ସିଂଙ୍କ ଘର ଏବଂ ଏକ ସୁନା ଦୋକାନରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଲଗାତାର ଲୁଟ୍ ଘଟଣା ଦାରିଙ୍ଗବାଡ଼ି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲୁଟେରାଙ୍କୁ ଧରିବା ପାଇଁ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୋସଲେ ଘଟଣାଗୁଡ଼ିକର ସମୀକ୍ଷା କରିଛନ୍ତି । ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା, ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀ ମାଝୀଙ୍କ ସମେତ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣାଗୁଡ଼ିକର ତଦନ୍ତ ଜାରି ରଖିଥିବା ଆଇଆଇସି ଜେନା କହିଛନ୍ତି ।