ଡିଏଲଏସଏ ପକ୍ଷରୁ ପୋସ୍ ଆକ୍ଟ ଓ ଏସ୍‌.ସି./ଏସ୍‌.ଟି. (ଅତ୍ୟାଚାର ନିବାରଣ) ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ସଭାପତିତ୍ୱରେ ତା. ୨୨.୦୭.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ରାୟଗଡ଼ ସ୍ଥିତ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜପତି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିବାରଣ, ପ୍ରତିଷେଧ ଓ ପ୍ରତିକାର) ଆଇନ, ୨୦୧୩ (POSH Act)ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ସମ୍ବେଦନଶୀଳତା ସୃଷ୍ଟି କରାଯିବା ସହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଲ, ଗଜପତି ଜିଲ୍ଲା ଅଦାଲତର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ସଲମାନ ରାଇକା, ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ମହାନ୍ତି, ରାୟଗଡ଼ା ଥାନାର ଆଇଆଇସି ଶ୍ରୀ ପ୍ରମୋଦ କୁମାର ଖଣ୍ଡୱାଲ, ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ସାହୁକାର ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରତିନିଧି ଶ୍ରୀ ଏମ୍. ରାମ ପ୍ରସାଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଆଇନଗୁଡ଼ିକର ବିଭିନ୍ନ ବ୍ୟବସ୍ଥା, ସେମାନଙ୍କର ଅଧିକାର, ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ସଚେତନ କରାଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ସମାନତା, ମହିଳା ସମ୍ମାନ, ସାମାଜିକ ନ୍ୟାୟ ଓ ଆଇନ ପ୍ରତି ସଚେତନ ରହିବା ପାଇଁ ଆହ୍ୱାନ କରାଯାଇଥିଲା ।