ଜିଲାପାଳ ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡ଼ି ଅଞ୍ଚଳରେ ଚର୍ଚ୍ଚା…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର ସନ୍ତାନ ତଥା ବର୍ତ୍ତମାନର ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏକ ଧାନ କ୍ଷେତରେ ମହିଳା ଚାଷୀମାନଙ୍କ ସହ ମିଶି ନିଜେ ଧାନ ରୋଇବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ ଦାରିଙ୍ଗବାଡି ସମେତ ସମଗ୍ର ଅଞ୍ଚଳରେ ପ୍ରଶଂସାର ଲହରୀ ଦେଖାଦେଇଛି । ଆଇଏଏସ୍ ଅଧିକାରୀ ଭାବେ ବିଭୁତି ଭୂଷଣ ନାୟକ ଦୁର୍ଗମ ଗ୍ରାମକୁ ପାଦରେ ଚାଲି ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ସାଧାରଣ ଲୋକଙ୍କ ସହ ମିଶି କାମ କରିବା ପାଇଁ ପରିଚିତ । ଜଣେ ଜିଲାପାଳ ହୋଇ ମଧ୍ୟ ଚାଷୀମାନଙ୍କ ସହ ଧାନ କ୍ଷେତରେ ନିଜେ କାମ କରୁଥିବା ଦୃଶ୍ୟ ସାଧାରଣ ଲୋକଙ୍କ ମନକୁ ଛୁଇଁଛି । ଦାରିଙ୍ଗବାଡି ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ବିଭୁତି ଭୂଷଣ ନାୟକଙ୍କ ଏହି ସରଳତା, କର୍ମନିଷ୍ଠା ଓ ଜନସମ୍ପୃକ୍ତ ଆଚରଣକୁ ତାଙ୍କ ସହପାଠୀ ଏବଂ ସ୍ଥାନୀୟ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଦାରିଙ୍ଗବାଡି ଅଞ୍ଚଳର ଗର୍ବ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି ।