ବ୍ରାହ୍ମଣୀଗାଁ କ୍ୟାଥଲିକ ଚର୍ଚ୍ଚ ନୂତନ ମୁଖ୍ୟ ଯାଜକଙ୍କ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ କ୍ୟାଥଲିକ ଚର୍ଚ୍ଚର ମୁଖ୍ୟ ଯାଜକ ଭାବେ ତପନ ବଳିଆର ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ରାହ୍ମଣୀଗାଁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରାମାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ ସମସ୍ତ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ ଏକତ୍ରିତ ହୋଇ ନୂତନ ମୁଖ୍ୟ  ଧର୍ମ ଯାଜକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଚର୍ଚ୍ଚ ମୁଖ୍ୟ ଫାଟକ ଠାରୁ ଫୁଲମାଳ ଦେଇ ଗୀତ ନାଚ ମାଧ୍ୟମରେ ପଟୁଆର ଶୋଭାଯାତ୍ରାରେ ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ସେଠାରେ ପୁର୍ବତନ ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ମଣ୍ଡଳୀ ବାସୀଙ୍କ ଉପସ୍ଥିତିରେ କଟକ ଭୁବନେଶ୍ଵର ଧର୍ମ ପ୍ରଦେଶର ଧର୍ମାଧ୍ୟକ୍ଷ ଯୋହନ ବାରୱାଙ୍କ ଠାରୁ ପ୍ରାପ୍ତ ନିଯୁକ୍ତି ପତ୍ରକୁ ପଠନ କରିବା ସହ ଚର୍ଚ୍ଚର ରୀତି ନୀତି ଅନୁଯାୟୀ ଚର୍ଚ୍ଚ ଘଣ୍ଟି, ଚର୍ଚ୍ଚର ଚାବି ଓ ମଣ୍ଡଳୀ ପରିଚାଳନାର ସମସ୍ତ ଦାୟିତ୍ୱ ଆନୁଷ୍ଠାନିକ ଭାବେ ନୂତନ ମୁଖ୍ୟ ଯାଜକ ଶ୍ରୀ ବଳିଆର ସିଂଙ୍କୁ ହସ୍ତାନ୍ତର କରିଥିଲେ । ଏହି ସମୟରେ ହୋଲିକ୍ରସ ସେବାଭଗ୍ନୀ ସଙ୍ଘର ୪ଜଣ ସେବାଭଗ୍ନୀଙ୍କୁ ମଧ୍ୟ ସ୍ଵାଗତ କରାଯାଇ ଥିଲା । ସେମାନଙ୍କ ମଧ୍ୟରେ ମୁଖ୍ୟ ପରିଚାଳିକା ସିଷ୍ଟର ପ୍ରେମାଜ୍ୟୋତି, ଚର୍ଚ୍ଚ ସେବା ପାଇଁ ସିଷ୍ଟର ନିର୍ମଳା, ରୋଗୀ ସେବା ପାଇଁ ସିଷ୍ଟର କାର୍ମେଲ, ବିଦ୍ୟାଳୟ ସେବା ଦାୟିତ୍ୱ ନେଇ ସିଷ୍ଟର ବିନିତା  ନୂତନ ଭାବେ ଯୋଗ ଦେଇଥିବାରୁ ସେମାନଙ୍କୁ ମଧ୍ୟ ମଣ୍ଡଳୀ ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ମଣ୍ତଳୀ ବାସୀଙ୍କ ସହଯୋଗରେ ଧର୍ମ ମଣ୍ଡଳୀ ଉନ୍ନତୀ ତଥା ସେମାନଙ୍କ ବିଶ୍ବାସକୁ ଅଭିବୃଦ୍ଧି  କରିବା ଦିଗରେସେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ ବୋଲି ନୂତନ ମୁଖ୍ୟ ଧର୍ମ ଯାଜକ ତପନ ବଳିଆର ସିଂ ନିଜ ଅଭିଭାଷଣରେ କହିଥିଲେ । ଚର୍ଚ୍ଚରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରାମାକାନ୍ତ ବଳିଆର ସିଂ, ଉପସଭାପତି କାହୁଁ ଚରଣ ସିଂ, ଜିତୁ ସଭାସୁନ୍ଦର, ସଂପାଦକ ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ସମସ୍ତ ମଣ୍ତଳୀ ବାସୀ ସହଯୋଗ କରିଥିଲେ ।