ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ନିମନ୍ତେ ସର୍ବଭାରତୀୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ ଘୁ.ଉଦୟଗିରି ଶିକ୍ଷା ବ୍ଲକ ଅନ୍ତର୍ଗତ ଏନଏସି ୧୨ ନମ୍ବର ୱାର୍ଡ଼ କନବାଗିରି ସ୍ଥିତ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ଜାତୀୟ ସ୍ତରରେ ମନୋନୀତ ହୋଇଛି | ଦେଶର ମୋଟ ୧୦୪୭୮୫୯ ଟି ବିଦ୍ୟାଳୟ ମଧ୍ୟରୁ ୧୯୧ଟି ବିଦ୍ୟାଳୟ ଜାତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଓଡ଼ିଶାର ୧୦ଟି ବିଦ୍ୟାଳୟ ମନୋନୀତ ହୋଇଛି । ସର୍ବଭାରତୀୟ ବିଦ୍ୟାଳୟମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କନବାଗିରୀ ସ୍ଥିତ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ଶତକଡ଼ା ୯୩.୩ ପ୍ରତିଶତ ସ୍କୋର ହାସଲ କରି ଜାତୀୟ ସ୍ତରରେ ୧୧ତମ ସ୍ଥାନ ଅଧିକାର କରି ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି । ସୂଚନା ଅନୁସାରେ, ଗତ ଡିସେମ୍ବର ୩୦, ୨୦୨୫ ତାରିଖରେ ଓଡ଼ିଶାର ୨୩୦ଟି ବିଦ୍ୟାଳୟକୁ ନେଇ ଏକ ନିର୍ଦ୍ଧିଷ୍ଟ ଚୟନ କମିଟି ଦ୍ୱାରା ବିଦ୍ୟାଳୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ହରିତ୍ ପ୍ରକଳ୍ପ, ପାନୀୟଜଳ ବ୍ୟବସ୍ଥା, ପରିଷ୍କାର ଶୌଚାଳୟ ଓ ପରିଚାଳନା ସହିତ ସମଗ୍ର ବିଦ୍ୟାଳୟର ପରିବେଶ ଆଧାରରେ ସବିଶେଷ ଯାଞ୍ଚ କରାଯାଇଥିଲା । କମିଟିର ଯାଞ୍ଚ ପରେ ୧୦ଟି ସହରାଞ୍ଚଳ ଓ ୧୦ ଟି ଗ୍ରାମୀଣ ଅଞ୍ଚଳର ବିଦ୍ୟାଳୟ ସମୁଦାୟ ୨୦ ଟି ବିଦ୍ୟାଳୟକୁ ଜାତୀୟ ସ୍ତର ପ୍ରତିଯୋଗିତା ନିମନ୍ତେ ଚୟନ କରାଯାଇଥିଲା | ମଙ୍ଗଳବାର ସ୍କୁଲ କର୍ତୃପକ୍ଷଙ୍କ ସୂଚନା ଅନୁସାରେ ଜାତୀୟ “ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ରେଟିଂ ” ପୁରସ୍କାର ପାଇଁ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ମନୋନୀତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପି. ମଧୁମିତା ପ୍ରଧାନ ଏହି ଜାତୀୟ ସ୍ତରରେ ଏହି ସଫଳତା ପାଇବା ପରେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ଡିଇଓ ରାଜେଶ କୁମାର ସ୍ୱାଇଁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବିଡିଓ ସତ୍ୟନାରାୟଣ ମିଶ୍ର, ସ୍ଥାନୀୟ ବିଇଓ, ଏବିଇଓ, ସହ ଶିକ୍ଷୟିତ୍ରୀ ତୃପ୍ତି ପ୍ରଧାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ସଦସ୍ୟଙ୍କୁ କୃତଜ୍ଞତା ଜଣେଇବା ସହ ଧନ୍ୟବାଦ ଦେଇଛନ୍ତି | ଜାତୀୟ ସ୍ତରରେ ଏହି ଗୌରବମୟ ସଫଳତା ପାଇବା ପରେ ରାବାନାଜୁ ସ୍କୁଲ ପ୍ରତି ନିଷ୍ଠା, ପରିଶ୍ରମ ସମର୍ପଣ ନିମନ୍ତେ ପ୍ରଧାନ ଶିକ୍ଷୟତ୍ରୀ ପି.ମଧୁମିତା, ସହ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିକୁ ଘୁ.ଉଦୟଗିରି ମିଡ଼ିଆ କ୍ଲବ ତରଫରୁ ସଭାପତି ଅରୁଣ କୁମାର ଷଢଙ୍ଗୀ ଓ ଉପସଭାପତି ଗଗନ କୁମାର ପ୍ରଧାନ, ବ୍ଲକ ଓ ଏନଏସିର ଶିକ୍ଷୟତ୍ରୀ, ଶିକ୍ଷକ ସମସ୍ତ ଶିକ୍ଷା ଅଧିକାରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |