ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଆଦିବାସୀ ସାଂସ୍କୃତିକ ଭବନ ଠାରେ ବ୍ଲକ ଭୀମ ଆର୍ମି ସଂଗଠନ ପକ୍ଷରୁ ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ସଂଗଠନର ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ରହି ସଂଗଠନର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସର୍ବସମ୍ମତି କ୍ରମେ ସୁରେନ୍ଦ୍ର ପ୍ରଧାନଙ୍କୁ ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ହନକ ଦିଗାଲଙ୍କୁ ସମ୍ପାଦକ ଓ ସଞ୍ଜୀବ ନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ କମିଟି ଗଠନ ପରେ ସମସ୍ତ କର୍ମକର୍ତ୍ତାଙ୍କୁ ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ । ବୈଠକରେ ଆସନ୍ତା ୧୨ ତାରିଖରେ ବାଲିଗୁଡ଼ା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବୈଠକରେ ଏହି ବ୍ଲକ କମିଟିକୁ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଭୀମ ଆର୍ମି ସଂଗଠନର ମୂଳ ଉଦ୍ଦେଶ୍ୟ ସାମାଜିକ ସଚେତନତା, ଶିକ୍ଷାର ପ୍ରସାର, ସଂଗଠିତ ହେବାର ଆବଶ୍ୟକତା ଓ ଅଧିକାର ପାଇଁ ସଂଘର୍ଷ କରିବା ଭଳି ବିଭିନ୍ନ ବିଷୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ସମାଜର ପଛୁଆ ଓ ଅବହେଳିତ ବର୍ଗଙ୍କୁ ଶିକ୍ଷା, ସଂଗଠନ ଓ ସଚେତନତା ମାଧ୍ୟମରେ ଆଗକୁ ଆଣିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।