ଜଡାମାହାରେ ହାତୀ ଆତଙ୍କ, ରୋଷେଇ ଘର ଭାଙ୍ଗିଦେଲା ଦନ୍ତା…

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡର ଜଡାମାହା ଗ୍ରାମରେ ରାତ୍ରି ସମୟରେ ଏକ ଦନ୍ତା ହାତୀ ପ୍ରବେଶ କରି ନିଦ୍ରାବତି ପ୍ରଧାନଙ୍କ ରୋଷେଇ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି । ନିଦ୍ରାବତୀ ଏକୁଟିଆ ସେହି ଘରେ ରହୁଛନ୍ତି । ହାତୀ ଭାଙ୍ଗିବା ଫଳରେ ସେ ଭୟଭୀତ ଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ହାତୀଟି କେତେବେଳେ କାହାର ଘର ଭାଙ୍ଗୁଥିବା ବେଳେ, କେତେବେଳେ କଦଳୀ ଗଛ ନଷ୍ଟ କରି ଖାଉଥିବା ଦେଖାଯାଉଛି । ଆମ୍ବ ଓ ପଣସ ଖାଇବା ପାଇଁ ବାଡ଼ି ବଗିଚାରେ ପ୍ରବେଶ କରୁଥିବା ସହ ମୁଖ୍ୟ ରାସ୍ତା ଅତିକ୍ରମ କରି ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରୁଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଗ୍ରେଶିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ନିଦ୍ରାବତି ପ୍ରଧାନଙ୍କ ଘରେ ପହଞ୍ଚି କ୍ଷୟକ୍ଷତିର ଅବସ୍ଥା ପରଖିଥିଲେ । ସେହିପରି ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି ।