ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡ଼ କାଉଁସିଲର ଯାକେଶ ପ୍ରଧାନଙ୍କ ନେତୃତ୍ୱରେ ୱାର୍ଡ଼ ବାସିନ୍ଦାଙ୍କ ତରଫରୁ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ୱାର୍ଡ଼ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଶିଶୁ ଠାରୁ ବୃଦ୍ଧ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରନ୍ତି l କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ବହୁ ସଂଖ୍ୟାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି କିଛି ରୋଗୀ ସଠିକ ସମୟରେ ସଠିକ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିବାର ଅଭିଯୋଗ ମଧ୍ୟ କରିଛନ୍ତି କାଉଁସିଲର ଯାକେଶ l ଶୁକ୍ରବାର ସକାଳ ୧୧ ଘଂଟିକା ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେବା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ମେଡ଼ିସିନ ବିଭାଗ ନିମନ୍ତେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ଡାକ୍ତରଖାନାରେ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା କରିବା ନିମନ୍ତେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅବସର ପ୍ରାପ୍ତ ସେନାଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, କାଉଁସିଲରା ଦୀପକ କୁମାର ନାୟକ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ବାଞ୍ଛାନିଧି ସାହୁ, ଆଲବିନ ନାୟକ, ହିରେନ କୁମାର ନାୟକ, ଏମଡି ପାଲେ ଖାନ, ସିଥନ ନାୟକଙ୍କ ସହ ସାହି ବାସିନ୍ଦା ଉପସ୍ଥିତ ଥିଲେ l ଏକ ମାସ ଅବଧି ମଧ୍ୟରେ ଲିଖିତ ଦାବୀ ପୁରଣ ନହେଲେ ଅଞ୍ଚଳ ବାସୀଙ୍କ ଜୀବନ ରକ୍ଷା ପାଇଁ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି କାଉଁସିଲର ଯାକେଶ ପ୍ରଧାନ l