ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅଧୀନ ତୁରୁମୁ ଗ୍ରାମ ପଞ୍ଚାୟତର ନୂଆଁ ତୁରୁମୁ ଗ୍ରାମ ଠାରେ ମାଆ ଠାକୁରାଣୀ ଯାତ୍ରା ଓ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ପ୍ରତି ଦୁଇ ବର୍ଷରେ ଥରେ ଗ୍ରାମବାସୀ ଗ୍ରାମର ଦୁଇ ପ୍ରାନ୍ତରେ ଥିବା ମାଆ ଠାକୁରାଣୀ ଓ ଗ୍ରାମ ଦେବତୀଙ୍କୁ ବରଣ କରି ଗ୍ରାମ ମଝିରେ ଅସ୍ଥାୟୀ ମନ୍ଦିର ସ୍ଥାପନ କରି ରଖନ୍ତି ଓ ପ୍ରତିଦିନ ଗ୍ରାମର ଦୁଇ ଘର ଗୋଟିଏ ପ୍ରାନ୍ତରୁ ଆରମ୍ଭ କରି ପାଳି ଅନୁସାରେ ଅନ୍ନଭୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦିଅନ୍ତି । ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ଗ୍ରାମରେ ଭୋଜି ଭାତର ଆସର ହୁଏ ଓ ଗ୍ରାମରେ ଆନନ୍ଦ ଉଲ୍ଲାସ ଖେଳିଯାଏ । ନୂଆଁ ତୁରୁମୁ ଗ୍ରାମରେ ଏହି ପରମ୍ପରା ଦୀର୍ଘ ୧୦୦ ବର୍ଷରୁ ଅଧିକ ଦିନ ହେବ ଚାଲି ଆସୁଛି ବୋଲି ବିଭିନ୍ନ ବୁଦ୍ଧିଜୀବି ମତ ଦେଇଛନ୍ତି । ଲୋକଙ୍କ ବ୍ୟସ୍ତତା ଭିତରେ ଗାଁ ଗହଳିର ବିଭିନ୍ନ ପରମ୍ପରା ଲୋକଙ୍କ ମନରୁ ଲିଭି ଆସୁଥିବା ବେଳେ ନୂଆଁ ତୁରୁମୁ ଗ୍ରାମବାସି ଏଭଳି ପରମ୍ପରାକୁ ବଜାଇ ରଖିଛନ୍ତି । ଯାହାକି ଆଖପାଖ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରାର ଶେଷରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଗ୍ରାମ ବାସି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ କରିଥିଲେ । ଏଥିରେ ନାମ ସଂକୀର୍ତ୍ତନ ମଣ୍ଡଳୀ ଖମାରପଲ୍ଲୀ, ତୁଳସୀପଲ୍ଲୀ, ହରଡ଼ାପଦର, ଭୁକ୍ତାଭୂମି, ଧୋଡାପଲ୍ଲୀ ଅଂଶ ଗ୍ରହଣ କରିଥିବାରୁ ସେହି ଦଳ ଗୁଡିକୁ ଗ୍ରାମବାସୀ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷର ଏହି ଯାତ୍ରା ସୁଚାର ରୂପେ ସମ୍ପାଦନ ହୋଇ ଥିବାରୁ ଗ୍ରାମକମିଟି ନାମଯଜ୍ଞ ପରିଚାଳନା କମିଟି ବିଭିନ୍ନ ସହ ଯୋଗକାରିଙ୍କୁ ସାଧୁବାଦ ଜଣାଇଛନ୍ତି ।