ଦାରିଙ୍ଗବାଡି(ଆଶୋକ ସିଂ): ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନଃରୁଥାନ ପର୍ବକୁ ଖ୍ରୀଷ୍ଟ ସମ୍ପ୍ରଦାୟ ମଧ୍ୟରେ ଧୁମ୍ ଧାମରେ ପାଳନ କରାଯାଇଅଛି । ଏହି ପର୍ବ ପାଳନର ପୂର୍ବ ୪୦ ଦିନ ମାଂସ ତ୍ୟାଗ ଓ ଉପବାସ ପ୍ରାର୍ଥନା ଆଦି କାର୍ଯ୍ୟରେ ବ୍ରତୀ ରହିଥାନ୍ତି l କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିବା ପୂର୍ବରୁ ୪୦ ଦିବା ରାତ୍ର ଉପାସରେ ରହି ତପସ୍ୟା କରିଥିଲେ ପରେ ସେ ସୈତାନ ଦ୍ଵାରା ପରୀକ୍ଷିତ ହୋଇ ତାକୁ ଜୟ କରିଥିଲେ ଓ ସେ ବିଭିନ୍ନ ଆଶ୍ଚଯ୍ୟ କର୍ମମାନ ସାଧନ କରିଥିଲେ l ପରେ ପିଲାତ ରାଜାଙ୍କ ଶାସନ କାଳରେ ସେ ଶତ୍ରୁ ସମର୍ପିତ ହୋଇ ବିନା ଦୋଷରେ ପ୍ରାଣ ଦଣ୍ଡ ଭୋଗ କରିଥିଲେ l ମନୁଷ୍ୟ ଜାତିକୁ ପାପରୁ ଉଦ୍ଧାର କରିବା ପାଇଁ ମାର୍ଗ ଦର୍ଶନ କରାଇବା ସହ କୃଶିୟ ମୃତ୍ୟୁ ଭୋଗ କରିଥିଲେ l କିନ୍ତୁ ଈଶ୍ୱରଙ୍କ ଯୋଜନା ଅନୁଯାଇ ତୃତୀୟ ଦିନରେ ସେ କବରରୁ ଉଠି ତାଙ୍କ ଶିଷ୍ୟମାନଙ୍କୁ ଦର୍ଶନ ଦେବା ସହ ସେ ସ୍ୱର୍ଗାରୋହଣ କରିଥିଲେ l ଏଣୁ ଖ୍ରୀଷ୍ଟ ସମ୍ପ୍ରଦାୟ ମଧ୍ୟରେ ଵିଶ୍ଵାସ ରହିଛି ଯେଉଁମାନେ ତାଙ୍କ ପଥ ଅନୁସରଣ କରନ୍ତି ଶାରିରୀକ ଭାବେ ମୃତ୍ୟୁ ବରଣ କଲେ ମଧ୍ୟ ସେ ଆତ୍ମିକ ଭାବେ ତାଙ୍କର ପୁନଃରୁଥାନର ଅଂଶି ହେବ । ଏଣୁ ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଏହି ପୁନଃରୁଥାନ ପର୍ବକୁ ଯାକଜକମରେ ପାଳନ କରିଥାଆନ୍ତି । ଏହି ଅବସରରେ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ସମାରୋହରେ ଶନିବାର ମଧ୍ୟରାତ୍ରି କାଳୀନ ଯଜ୍ଞ ଉପାସନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ପୌରହିତ୍ୟ କରିଥିବା ବେଳେ ଯାଜକ ରାଜୀବ ଲୋଚନ ବଳିଆର ସିଂ ବାଇବଲରୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ କାହାଣୀ ମନୁଷ୍ୟ ଜୀବନରେ କିଭଳି ପ୍ରତିଫଳିତ ହୁଏ ସେ ନେଇ ବାକ୍ୟ ପରିବେଷଣ କରିଥିବା ବେଳେ ଯାଜକ ସୁବଳ ନାୟକ ଯଜ୍ଞରେ ସହଯୋଗ କରିଥିଲେ l କାଥଲିକ ମଣ୍ଡଳୀର ରୀତି ଅନୁଯାୟୀ ନବାଗ୍ନି, ମହା ଜ୍ୟୋତି ପ୍ରଜ୍ଜ୍ୱଳନ, ହୋମ, ପବିତ୍ର ଜଳାଭିଷେକ, ଦୀକ୍ଷା ସ୍ନାନ ନବୀକରଣ, ପାପସ୍ପିକାର, ଦିବ୍ୟଭୋଜ ଆଦି ବିଭିନ୍ନ ବିଧି ସମ୍ପାଦନ କରିଥିଲେ । ଗ୍ରାମ୍ୟ କମିଟିର ସଭାପତି ରମାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ ସମସ୍ତ କମିଟି କର୍ମକର୍ତ୍ତା ପର୍ବ ପାଳନର ସମସ୍ତ ପ୍ରସ୍ତୁତି କରିଥିବା ହୋଲିକ୍ରସ୍ ସଂଘର ସେବାଭଗ୍ନୀମାନେ ବେଦୀ ସାଜସଜା କରିଥିଲେ ପ୍ରଚାରକ, ପ୍ରଚାରିକାମାନେ ପ୍ରାର୍ଥନା ପରିଚାଳନା କରିଥିବା ବେଳେ ଥାମସ ନାୟକଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଧର୍ମାଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ସଭାପତି ଶ୍ରୀ ବଳିଆର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।