ଦାରିଙ୍ଗବାଡ଼ି ବ୍ଲକ ଜନାବାଡ଼ି ଗ୍ରାମର ଉତ୍ତର ଭାରତ ଚର୍ଚ୍ଚ ପ୍ରାଙ୍ଗଣରେ ଧୂମଧାମରେ ପାଳନ ହେଲା “ବିଜୟ ଯାତ୍ରା”….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀ ସମଗ୍ର ବିଶ୍ୱରେ ପବିତ୍ର ‘ପାମ୍ ସଣ୍ଡେ’ ବା “ବିଜୟ ଯାତ୍ରା” ପାଳନ କରୁଥିବା ବେଳେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତର ଜନାବାଡ଼ି ଗ୍ରାମରେ ମଧ୍ୟ ଧୂମଧାମ ସହିତ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳନ କରିଛନ୍ତି ଖ୍ରୀଷ୍ଟୟ ଶ୍ରଦ୍ଧାଳୁ  । ଏହି ପର୍ବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜିରୁସାଲମ ପ୍ରବେଶର ସ୍ମୃତିରେ ପାଳନ କରାଯାଏ ବୋଲି  ଜନାବାଡ଼ି CNI ଚର୍ଚ୍ଚର ଧର୍ମଯାଜକ ପ୍ରଭାକର ପ୍ରଧାନ (ପାଳକ) କହିଥିଲେ । ବାଇବଲ ଧର୍ମର ମାଥିଉ ୨୧:୮-୯ ଅନୁସାରେ, ଯେତେବେଳେ ପ୍ରଭୁ ଯୀଶୁ ଗଧ ଶାବକ ଉପରେ ବସି ଜିରୁସାଲମରେ ପ୍ରବେଶ କଲେ ସେତେବେଳେ ଲୋକମାନେ ନିଜର ବସ୍ତ୍ର ଓ ଖଜୁରି ବାହୁଙ୍ଗା ରାସ୍ତାରେ ବିଛାଇ ଦେଇଥିଲେ । ସେମାନେ ଉଚ୍ଚ ସ୍ୱରରେ ଜୟଗାନ କରି କହିଥିଲେ, “ପ୍ରଭୁଙ୍କ ନାମରେ ଯେ ଆସନ୍ତି, ସେ ଧନ୍ୟ ସର୍ବୋଚ୍ଚ ସ୍ଥାନରେ ହୋସାନା!” ଏହି ଐତିହାସିକ ଘଟଣାକୁ ସ୍ମରଣ କରି ଆଜି ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏହି ଦିନଟିକୁ ପାଳନ କରୁଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବାହାରିଥିଲେ । ଏହି ଅବସରରେ ଶତାଧିକ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ଓ ଶ୍ରଦ୍ଧାଳୁମାନେ ହାତରେ ଖଜୁରି ବାହୁଙ୍ଗା ଧରି “ହୋସାନା, ହୋସାନା” ଧ୍ୱନି ଦେଇ ଉକ୍ତ ଗ୍ରାମରେ ପରିକ୍ରମା କରିଥିଲେ । ଏହି ଅବସରରେ ପାରମ୍ପରିକ ବାଦ୍ୟ ଓ ଗୀତ ନାଚରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଶୋଭାଯାତ୍ରା ପରେ ଗୀର୍ଜାଘରମାନଙ୍କରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ CNI ଚର୍ଚ୍ଚର ପାଳକ ପ୍ରଭାକର ପ୍ରଧାନ ପୌରୋହିତ୍ୟରେ ଲୋକଙ୍କ ହିତ ଉଦେଶ୍ୟରେ ପ୍ରଭୁଯୀଶୁଙ୍କ ନିକଟରେ ପ୍ରାର୍ଥନା ଉତ୍ସର୍ଗ କରିଥିଲେ ଓ ମଣ୍ଡଳୀ କର୍ମକର୍ତ୍ତା ଶଶୀକାନ୍ତ ପ୍ରଧାନ, ରିବନ ପ୍ରଧାନ, ନରେନ ପ୍ରଧାନ, କିଶପର ପ୍ରଧାନ, ସଞ୍ଜିତ ପ୍ରଧାନ, ସଞ୍ଜୁଳି ପ୍ରଧାନ, ନିରବ ପ୍ରଧାନ, ପ୍ରମିତା ପ୍ରଧାନ ଉପସ୍ଥିତ ରହି ପ୍ରାର୍ଥନା ଉତ୍ସର୍ଗରେ ସହଯୋଗ କରିଥିଲେ । ପ୍ରଭୁ ଯୀଶୁଙ୍କ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରଦାନ କରିବା ସହ ଆଗାମୀ ‘ପବିତ୍ର ସପ୍ତାହ’ର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଖଜୁରି ବାହୁଙ୍ଗାଗୁଡ଼ିକୁ ପବିତ୍ର କରାଯାଇ ଶ୍ରଦ୍ଧାଳୁମାନେ ନିଜ ନିଜ ଘରକୁ ନେଇଥିଲେ । ଏହି ଦିନଟିଠାରୁ ଯୀଶୁଙ୍କ କଷ୍ଟଭୋଗର ସ୍ମୃତି ଚାରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଶୁକ୍ରବାର ‘ଗୁଡ୍ ଫ୍ରାଇଡେ’ ଏବଂ ରବିବାର ‘ଇଷ୍ଟର’ ପାଳନ କରାଯିବ ବୋଲି କହିଥିଲେ । ସେହି ପରି ଦାରିଂଗବାଡି ବ୍ଲକ ଅଂଚଳର ହଜାରହଜାର ଖ୍ରୀଷ୍ଟୟ ଶ୍ରଦ୍ଧାଳୁ ବିଜୟଯାତ୍ରା ଅତି ଆନନ୍ଦ ଉଲ୍ଲସରେ ପାଳନ କରିଥିବା ସୁଚନା ମିଳିଛି l