ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଶାନ୍ତିଶୃଙ୍ଖଳା ଓ ଭିତ୍ତିଭୂମିକୁ ଗୁରୁତ୍ୱାରୋପ…..

ଭଞ୍ଜନଗର(ନିଲୁ ବିଷୋୟୀ): ଆସନ୍ତା ଏପ୍ରିଲ୍‌ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରଶାସନିକ ଅଧିକାରୀ ଓ ଠାକୁରାଣୀ ଯାତ୍ରା କମିଟି ସଦସ୍ୟଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଓ ଭିତ୍ତିଭୂମି ବ୍ୟବସ୍ଥା ଉପରେ ଏଥିରେ ଆଲୋଚନା ହୋଇଥିଲା । ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରି କହିଛନ୍ତି l ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ଉଦ୍ୟମ କରାଯିବ । ବିଶେଷକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏଥିରେ କିଭଳି ଏଥିରେ ସାମିଲ ହୋଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ । ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯାତ୍ରା ପରିଚାଳନାରେ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ଉପରେ ଆ‌ଲୋକପାତ କରିବା ସହ ପାନୀୟଜଳ ଠାରୁ ଆରମ୍ଭ କରି ଆଲୋକ, ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା । ମୁଖ୍ୟରାସ୍ତାରେ ଅସ୍ଥାୟୀ ମଣ୍ଡପ ନିର୍ମାଣକୁ ଆଖି ଆଗରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡ଼ିବା, ଯାତ୍ରା ବେଳେ ମୁଖ୍ୟରାସ୍ତାର ଗୋଟିଏ ପାର୍ଶ୍ବ ଯାତାୟାତ ବନ୍ଦ ‌ହେଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ସୁବ୍ୟବସ୍ଥା, ଅଘଟଣ ନଘଟିବା ପ୍ରତି ଯତ୍ନବାନ ହେବା, ପୂଜାମଣ୍ଡପ, ଅସ୍ଥାୟୀ ପୀଠ ଓ ମୀନାବଜାର ନିକଟରେ ଦମକଳବାହିନୀ କର୍ମଚାରୀ ନିୟୋଜିତ, ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା, ଟ୍ରାଫିକ୍‌ ସମସ୍ୟାକୁ ଏଡ଼ାଇବା ଲାଗି ଲୋକଙ୍କ ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା, ଠାକୁରାଣୀଙ୍କ ନଗର ପରିକ୍ରମା ପୂର୍ବରୁ ରାସ୍ତାରେ ପ୍ରାକ୍‌ ପ୍ରସ୍ତୁତି, ଟ୍ରାଫିକ୍‌ ନିୟନ୍ତ୍ରଣ, ପୁଲିସ ମୁତୟନ ଓ ପରିମଳ ଉପରେ ଆଲୋଚନା ହୋଇଥିଲା । ସେହିପରି ଅସାମାଜିକଙ୍କ ଉପରେ ସ୍ବତନ୍ତ୍ର ନଜର ରହିବ ବୋଲି ସ୍ଥିର କରାଯାଇଛି । ଅନ୍ୟପକ୍ଷରେ ପୁରୁଣା ଜେଲ ପରିସରରେ ପାର୍କିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି । ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକ, ଡେପୁଟି କଲେକ୍ଟର ରଚିତା ମହାପାତ୍ର, ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସହକାରୀ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ଫକୀର ଜ୍ୟୋତି ନାୟକ, ଚନ୍ଦ୍ରଗିରି ଗାୟତ୍ରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ଯାତ୍ରା କମିଟି ଉପସଭାପତି ମୁରଲୀ ପଣ୍ଡା, ଶାନ୍ତନୁ କୁମାର ଦାସ, ଡି.ଚେଲପତି ରାଓ, ସମ୍ପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଜଗଦୀଶ ପାଣିଗ୍ରାହୀ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ଓ ଫାୟାର ଅଫିସର ଚକ୍ରଧର କହଁର ପ୍ରମୁଖ ଯୋଗ ଦେଇଥିଲେ ।