ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଅନେକ ଦୁର୍ଗମ ଅଞ୍ଚଳମାନଙ୍କରେ ଆଜି ବି ଭରସା ଚୁଆଁ ପାଣି । ପାନୀୟ ଜଳ ସମସ୍ୟା ନିମନ୍ତେ ଅନେକ ଖବର କାଗଜ ଏବଂ ଅନେକ ଅଭିଯୋଗ ପରେ ଏକ ସୋଲାର ପ୍ରକଳ୍ପ ସ୍ଥାପନ ହୋଇଛି । କିନ୍ତୁ ସୋଲାର ପ୍ରକଳ୍ପର ୧ ମାସରୁ ଉର୍ଦ୍ଧ ହେବ ସ୍ଥାପନ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସୋଲାର୍ ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ସିର୍କାବର୍ଗ ପଞ୍ଚାୟତ ବାଞ୍ଜାମାହା ଗ୍ରାମର ସଲାଗୁଡ଼ି ସାହି ବାସିନ୍ଦା । ଉକ୍ତ ସାହି ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଯେଉଁ ନଳକୂପରୁ ସୋଲାର ପ୍ରକଳ୍ପର ସିଷ୍ଟମ୍ ସଂଯୋଗ ହୋଇଛି ସେହି ନଳକୂପରୁ ଦିନକୁ ମାତ୍ର ୨/୩ ବାଲ୍ଟି ପାଣି ବାହାରିବା ପରେ ପୁଣି ବନ୍ଦ୍ ହେଉଥିବା ଅଭିଯୋଗ ହୋଇଛି । ସେହି ନଳକୂପ ମରାମତି ହୋଇନଥିବାରୁ ଜଳ ଯୋଗାଣ ବନ୍ଦ୍ ହୋଇଥିବା ଦେଖିବାକୁ ମିଳିଛି । ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମର ସଲାଗୁଡ଼ି ସାହିରେ ଏଭଳି ଅବ୍ୟବସ୍ଥାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ସଲାଗୁଡ଼ି ସାହିରେ ୪୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଏହି ୪୦ ପରିବାର ଲୋକ ଗୋଟିଏ ପାନୀୟ ଜଳ ପ୍ରକଳ୍ପ ଉପରେ ଭରସା କରିଥାନ୍ତି । ପାଣି ସଠିକ ସମୟରେ ନ ବାହାରିବା ଫଳରେ ଦିନ ରାତି ଏଠାରେ ପାଣି ପାଇଁ ଭିଡ଼ ରହିଥାଏ । ସୋଲାର ପ୍ରକଳ୍ପ ଅଚଳ ହେବା ପରେ ପାନୀୟ ଜଳର ବଡ଼ ସମସ୍ୟା ଦେଖାଦେଇଛି । ପିଇବା ପାଣି ପାଇଁ ୧ ମାସରୁ ଉର୍ଦ୍ଧ ହେବ ସଲାଗୁଡ଼ି ଗ୍ରାମରେ ହାହାକାର ଅବସ୍ଥା ଦେଖାଦେଇଛି । ଲୋକ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି । ଏଣୁ ଉକ୍ତ ସାହିର ସୁବଳ ପ୍ରଧାନ, ସୁଶୀଳ ପ୍ରଧାନ, ଜୟରାମ ପ୍ରଧାନ, ସୁନୀଲ ପ୍ରଧାନ, ଜଲ ପ୍ରଧାନ ସମେତ ସମସ୍ତ ଅଞ୍ଚଳବାସୀ ଅଚଳ ହୋଇଥିବା ପ୍ରକଳ୍ପକୁ ଯଥାଶୀଘ୍ର ମରାମତି ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି ।