ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟି ହେଲା ଭଞ୍ଜନଗର…..

ଭଞ୍ଜନଗର(ନିଲୁ ବିଷୋୟୀ): ବହୁ ପ୍ରତିକ୍ଷାର ଅନ୍ତ ଘଟିବା ପରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷତ ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲଟିରେ ପରିଣତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋ‌ଷଣା କରିଥିବା ବେଳେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ପୌରପାଳିକ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଭଞ୍ଜନଗର ଏନ୍ଏସିକୁ ପୌରପାଳିକା ମାନ୍ୟତା ନେଇ ଘୋଷଣା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଛି । ନୂଆଁ ସରକାର ଆସିବା ପରେ ବିଭିନ୍ନ ତଥ୍ୟ ସଂଗ୍ରହ ସହ ସୀମା ନିର୍ଦ୍ଧାରଣ, ଜନସଂଖ୍ୟା, ଏନ୍‌ଏସି ସୀମାକୁ ଲାଗି ରହିଥିବା ପଞ୍ଚାୟତର ମିଶ୍ରଣ ହେବାକୁ ଥିବା ଗ୍ରାମ ସଂର୍ପକରେ ସରକାରଙ୍କୁ ରିପୋର୍ଟ ପ୍ରଦାନ ହୋଇଥିଲା । ଏହା ପରେ ଭଞ୍ଜନଗର ସମେତ ଆଉ କିଛି ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ପ୍ରୟାଶକୁ ପ୍ରଶାଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।                                                                                                                                                                        ଗତବର୍ଷ ଭଞ୍ଜନଗର ଏନ୍ଏସିକୁ ମୁନିସିପାଲିଟିରେ ପରିଣତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ମଧ୍ୟ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏଥି ସହ ଆପର୍ତ୍ତି ଅଭିଯୋଗ ପାଇଁ ସମୟ ଧାର୍ଯ୍ୟ କରାଯାଇ ଅବଧି ଶେଷ ହେବା ପରେ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତିରେ ଭଞ୍ଜନଗର ସହର ସମେତ ବାଉଁଶଲୁଣ୍ଡି ପଞ୍ଚାୟତର ବାଉଁଶଲୁଣ୍ଡି, ଡୁବୁଡୁବା, ଗାମୁଣ୍ତି, ବଡକୋଦଣ୍ଡା ପଞ୍ଚାୟତର ସାନପଥରା, ଲାଲସିଂ ପଞ୍ଚାୟତର ଲାଲସିଂ, ଧନଞ୍ଜୟନଗର, ରାଜକୁଣ୍ଡ, ଛେଦାଭୂମୀ, ରସଲ‌କୋଣ୍ଡା ଜଳଭଣ୍ଡାର, ଡିହପଢାଳ ପଞ୍ଚାୟତର ଜାମପଲ୍ଲୀ ଓ ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗ୍ରାମକୁ ଏଥିରେ ସାମିଲ କରାଯାଇଛି । ଏଥିସହ ବୁଦୁଲି, ଗୋଲାପଡା-କୁଲାଡ, ମୁଦୁଲିପଲ୍ଲୀ-କଇଣ୍ଡି ଓ ସାନକୋଦଣ୍ଡା ଅଞ୍ଚଳବର୍ତ୍ତୀକୁ ସୀମା ଭାବେ ନିର୍ଦ୍ଧାରଣ କରାଯାଇଛି । ୧୯୫୭ ମସିହାରେ ଗଠନ ‌ହୋଇଥିବା ଭଞ୍ଜନଗର ଏନ୍‌ଏସିକୁ ମୁନସିପାଲିଟି ଭାବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାରୁ ଅଞ୍ଚଳର ପରିମଳ ଠାରୁ ଆଲୋକିକରଣ, ରାସ୍ତାଘାଟ ସହ ମୌଳିକ ସୁବିଧା ପ୍ରଦାନ, ସହରବାସୀଙ୍କୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ ଜନସାଧାରଣ ଆଶାବାଦୀ ଅଛନ୍ତି ।