ଭଞ୍ଜନଗରରେ ବିକ୍ଷୋଭ ସହ ସ୍ମାରକପତ୍ର ପ୍ରଦାନ….

ଭଞ୍ଜନଗର(ନିଲୁ ବିଷୋୟୀ): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ(ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି । ଯାହାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରିଛି । ନୂଆ ଆଇନ ପ୍ରତ୍ୟାହାର ଦାବିରେ ସୋମବାର ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ  ଭଞ୍ଜନଗରରେ ବିକ୍ଷୋଭ ସହ ଧାରଣା ଦିଆଯାଇଛି । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ  ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗଞ୍ଜାମ- ପଶ୍ଚିମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଦଳ ପକ୍ଷରୁ ପ୍ରଥମେ ବ୍ଲକ ଛକ ଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶହ ଶହ ଦଳୀୟ କର୍ମୀ ବ୍ଲକ ଛକରୁ ବାହାରି ବଳଭଦ୍ର ଆରୁଖ କୃଷକ ବଜାର, ମହାବୀର ଛକ, ବସଷ୍ଟାଣ୍ଡ, ତହସିଲ ଛକ, ମୁଖ୍ୟ ରାସ୍ତା, ଖାଲାସାହି, ଷ୍ଟେଟବ୍ୟାଙ୍କ୍ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ନୂଆ ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ ଉଦେଶ୍ୟ ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦେଶ ଓ ରାଜ୍ୟରେ ଚାଲୁଥିବା ଭାଜପା ସରକାର ଉପା ସରକାର ସମୟରେ ହୋଇଥିବା ବିଭିନ୍ନ ଯୋଜନାର ନାମକୁ ପରିବର୍ତ୍ତନ କରୁଛନ୍ତି । ମନରେଗା ଭଳି ମହତାକାଂକ୍ଷୀ ଯୋଜନାର ନାମ ପରିବର୍ତ୍ତନ କରି ନୂଆ ଆଇନ ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏହି ନୂଆ ଆଇନରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ନାମ ରଖାଯାଉନାହିଁ । ଆସନ୍ତା ଦିନରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନକରିଲେ ଦଳ ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା କହିଛନ୍ତି । ବିକ୍ଷୋଭ ସମୟରେ କଂଗ୍ରେସ ନେତା କୁଲୁ ଭୁୟାଁ, ସୁରଭି ବିଶୋଇ, ହରେକୃଷ୍ଣ ରଥ, ଚିତ୍ରସେନ ବେହେରା, ଦେବକାନ୍ତ ଶର୍ମା ଓ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ଦଳୀୟ କର୍ମୀ ସାମିଲ ହୋଇଥିଲେ ।