ଦାରିଙ୍ଗବାଡି(ଅଶୋକ ସିଂ): ପାରମ୍ପରିକ ଖାଦ୍ୟର ବ୍ୟାପକ ପ୍ରଚାର-ପ୍ରସାର ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଥିବା ଓଡ଼ିଶା ମିଲେଟ ମିଶନ ବର୍ତ୍ତମାନ “ଶ୍ରୀ ଅନ୍ନ ଅଭିଯାନ” ଭାବେ ପରିଚିତ । ଏହି ଯୋଜନା ଅଧୀନରେ ଲୋକମାନଙ୍କୁ ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅ, ଜନ୍ନା ଭଳି ପାରମ୍ପରିକ ଖାଦ୍ୟ ଖାଇବା ପାଇଁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷିତରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ପରିସରରେ ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା । ଆଞ୍ଚଳିକ ରିସର୍ଚ୍ଚ ପର୍ଶନ ପ୍ରଫୁଲ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ICDS ସୁପରଭାଇଜର ବସନ୍ତୀ ଜେନା, ସମିତି ସଭ୍ୟ ଓ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନର ସହକାରୀ ବ୍ଲକ କୃଷି ଅଧିକାରୀ, ବ୍ଲକ ଅତିରିକ୍ତ ପ୍ରକଳ୍ପ ସଂଯୋଜକ ଦେବାନନ୍ଦ ଦାସ, ସହ ସଂଯୋଜକ ବିମଳ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ ଓ ସାଧାରଣ ମହିଳାମାନଙ୍କୁ ପାରମ୍ପରିକ ଚାଷ, ବିଶେଷକରି ଖୁଦ୍ର ଦାନା ଶସ୍ୟ ଚାଷ ଓ ଖାଦ୍ୟ ଆଦତ ଗ୍ରହଣ କରିବା ପାଇଁ ସଚେତନ କରାଯାଇଥିଲା । ମାଣ୍ଡିଆ, କାଙ୍ଗୁ ଓ କୁଏରୀରୁ ଖିରୀ, ପିଠା, ପକୁଡ଼ି, ବରା, ପିଆଜି, ମିଠା, ରୁଟି, ଚାଉମିନ, ପରଟା, ଇଡ଼ଲି, ପୁରୀ ଆଦି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ସ୍ତରରେ ଖାଇବାର ଗୁରୁତ୍ୱ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ନିୟମିତ ଭାବେ ମାଣ୍ଡିଆ ଭଳି ପାରମ୍ପରିକ ଶସ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହ ରକ୍ତଚାପ ଓ ଡାଇବେଟିସ ଭଳି ରୋଗରୁ ରକ୍ଷା ମିଳିଥାଏ ବୋଲି ସୂଚନା ଦିଆଯାଇଥିଲା । ମେଳାରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଖୁଦ୍ର ଦାନାରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ମିଠା, ଖିରୀ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା l ଯାହା ଉପସ୍ଥିତ ଲୋକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା ।