ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ପିଏମଶ୍ରୀ ସରକାରୀ(ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ୨୦୨୫ ଉତ୍ସବ ପାଳିତ ହୋଇଯାଇଛି l ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର, ସ୍ଥାନୀୟ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡିଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ, ବିଧାୟକ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ଆଖ ପାଖ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଗଣ ମଞ୍ଚାସୀନ ଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମଞ୍ଚ ଉପରେ ବିରାଜମାନ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପିଏମଶ୍ରୀ ଉତ୍ସବ ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ଜିଜ୍ଞାସା ମେଳା, ପିଏମଶ୍ରୀ ବ୍ୟାଙ୍କ, ଆକାଂକ୍ଷୀ ଛାତ୍ର ପରିଷଦ, ଦୋକାନ ମେଳାରେ ବିଭିନ୍ନ ଷ୍ଟଲ ଜରିଆରେ ଉପସ୍ଥାପନ କରାଯାଇଥିଲା l ଭଲ ପଦର୍ଶନ ଓ ଉପସ୍ଥାପନା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ତରରେ ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଭିଜନ ୨୦୩୬ ଏକ ପଦକ୍ଷେପ l ଯାହା କି ବିକଶିତ ଓଡିଶାର ଲକ୍ଷ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଓ ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l