ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର କିରାମାହା ମଣ୍ଡଳୀ ପକ୍ଷରୁ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମା’ ମେରୀଙ୍କ ପର୍ବ ଧୁମଧାମରେ ପାଳନ କରଯାଇଛି । ଧର୍ମାଞ୍ଚଳର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ମଣ୍ଡଳୀ କର୍ମକର୍ତ୍ତାଙ୍କ ନେତୃତ୍ୱ ଓ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ-ଭୁବନେଶ୍ବର ମହାଧର୍ମପ୍ରଦେଶର ଭିକାର ଜେନେରାଲ ଫା. ପ୍ରଦୋସ ଚନ୍ଦ୍ର ନାୟକ ଯୋଗ ଦେଇ ମିଳିତ ଦିବ୍ୟଯଜ୍ଞରେ ମୁଖ୍ୟ ପୌରହିତ୍ୟ କରିଥିବା ବେଳେ ମୋହନା ଧର୍ମାଞ୍ଚଳର ସହକାରୀ ଯାଜକ ମାଲାକ୍ୟାସ୍ ବୀର ବାଇବଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ । ଅପରାହ୍ନରେ ମା’ମେରୀଙ୍କ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଭକ୍ତମାନେ ଚର୍ଚ୍ଚ ପ୍ରାଙ୍ଗଣରୁ ବାହାରି ପ୍ରାର୍ଥନା ମୟ ପରିବେଶରେ ନଗର ପରିକ୍ରମା କରି ମା’ମେରୀଙ୍କ ଗୁମ୍ଫା ପର୍ୟ୍ୟନ୍ତ ଯାଇ ଥିଲେ l ସନ୍ଧ୍ୟା କାଳୀନ ଉପାସନାରେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିବା ସହ ଏହି ପର୍ବ ପାଳନର ମାହାତ୍ମ୍ୟ ବୁଝାଇ ଥିଲେ । କନ୍ଧମାଳ ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ଶତାଧିକ ବିଶ୍ବାସୀ ଏହି ପର୍ବରେ ଯୋଗ ଦେଇଥିଲେ । ଗ୍ରାମର ଯୁବକଯୁବତୀମାନେ ପ୍ରସନ୍ନ ନାୟକଙ୍କ ନିର୍ଦ୍ଦେଶନାରେ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଅନ୍ୟାନ୍ୟ ଧର୍ମାଞ୍ଚଳରୁ ମଧ୍ୟ ଯାଜକ, ସେବାଭଗ୍ନି ଗଣ ଯୋଗ ଦେଇ ପ୍ରାର୍ଥନା ଓ ଉପାସନା କରିଥିଲେ l ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଓ ସୁରକ୍ଷା କର୍ମୀ ମୁତୟନ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।