ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ ଭାଲିଆସାହି ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କମିଶନର ଶ୍ରୀମତି ରୂପା ମିଶ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ଶ୍ରେଣୀ ଗୃହ ପରିଦର୍ଶନ ଅବସରରେ ପିଲାମାନଙ୍କ ସହିତ ମଧୁର ଆଳାପ କରି ପାଠ ପଢା, ଜୀବନର ଲକ୍ଷ୍ୟ ଆଦି ବିଷୟରେ ପଚାରି ବୁଝି ମାର୍ଗ ଦର୍ଶନ ଦେଇଥିଲେ । ବିଦ୍ୟାଳୟର ପରିବେଶ, ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହିତ ପିଲାମାନଙ୍କୁ ପାଠ ପଢ଼ାଇବାର କୌଶଳକୁ ମଧ୍ୟ ପରଖି ଥିଲେ । ପିଲାମାନଙ୍କର ଉତ୍ତର ଦେବା ଶୈଳୀ ଏବଂ ପିଲାମାନଙ୍କର ଭଦ୍ର ନମ୍ର ବ୍ୟବହାର ତାଙ୍କୁ ଅଧିକ ଆକୃଷ୍ଟ କରିପାରିଥିଲା । ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ହିନ୍ଦୀ ଶିକ୍ଷୟିତ୍ରୀ ରବିନା ଦାସ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ରାଉତ ସନ୍ଧ୍ୟାରଣୀ ଏବଂ କଳା ବିଭାଗର ଶିକ୍ଷକ ଯୁଧିଷ୍ଠିର ପାଇକଙ୍କର ପାଠ ପଢା ପରୀକ୍ଷଣ କରିଥିଲେ କମିଶନର । ବିଦ୍ୟାଳୟର ସମସ୍ତ ବିଷୟରେ ଅନୁଧ୍ୟାନ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସାଧୁବାଦ ଜ୍ଞାପନ କରିଥିଲେ ।