ପୃଥକ ସ୍ଥାନରେ ନିଆଁ ଲାଗି ହୋଟେଲ ଓ ଘର ପାଉଁଶ……

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହର ଓ ବାହାଡାପଦର ଗ୍ରାମରେ ଗୁରୁବାର ପୃଥକ ଅଗ୍ନିକାଣ୍ଡ ଘଟି ଏକ ଦୋକାନ ଓ ଗୋଟିଏ ଲେଖାଏଁ ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ କୌଣସି ଲୋକ ମୃତାହତ ହୋଇ ନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ସୂଚନାନୁସାରେ,ସଟ୍ ସର୍କିଟ ଯୋଗୁ ଗୁରୁବାର ଭୋର ସମୟରେ ଭଞ୍ଜନଗର ସହରର ପୁରୁଣାବଜାର ସାହିରେ ଥିବା ଅନିଲ ପାତ୍ରଙ୍କ କାହ୍ନୁ ହୋଟେଲରେ ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭିନଥିଲା । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଅଗ୍ନିକାଣ୍ଡରେ ଦୋକାନର ବ୍ୟାପକ ଆସବାବପାତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ସେହିପରି ଗୁରୁବାର ସକାଳୁ ସାନକୋଦଣ୍ଡା ପଞ୍ଚାୟତର ବାହାଡାପଦର ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ସାହିର ଝିଲି ନାଇକ ଦୁଇ ବଖରା ଚାଳ ଘର ଜଳି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା । ଅଗ୍ନିକାଣ୍ଡର ଉଭୟ ପରିବାର ମଧ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।