ରା.ଉଦୟଗିରି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ ଏମ୍  ଭାଲିଆସାହି ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦୁଇ ଦିନିଆ ବ୍ଲକ୍ ସ୍ଥରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ମେଳାରେ ବ୍ଲକର ୧୩୪ ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟରୁ ୧୨୬ଟି ଶିକ୍ଷାନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଦିବସରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ୧୨୮ ଗୋଟି ପ୍ରକଳ୍ପ ଏବଂ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ଅଭିଯାନରେ ୬୪ ଗୋଟି ପ୍ରକଳ୍ପ ତଥା ଦ୍ଵିତୀୟ ଦିବସରେ ୪୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିଚାରକ ମଣ୍ଡଳୀ ଦ୍ବାରା ବିଭିନ୍ନ ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିବେଚିତ ପ୍ରକଳ୍ପ ଗୁଡିକ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବା ନିମନ୍ତେ ଯୋଗ୍ୟ ଘୋଷଣା କରାଯାଇଛି । ତେବେ ଗୋଷ୍ଠୀ ଶିକ୍ଷାଧିକାରୀ ବିରେନ୍ଦ୍ର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ ତଥା ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀନିବାସ ବେହେର୍ଦ୍ଦଳାଇ, ଗୋଷ୍ଠୀ ବିଜ୍ଞାନ ସଂଯୋଜକ ଭାଗିରଥୀ ପରିଡା ଓ ମୁକ୍ତିକାନ୍ତ ମଲ୍ଲିକ, ଅଧ୍ୟାପକ ଅଞ୍ଜିତ କୁମାର ପରିଚ୍ଛା, ସ୍ଥାନୀୟ ପ୍ରଧାନ ଶିକ୍ଷକ ପହଲ୍ଲାଦ ଶିଆଳ, ଅଭୟ କୁମାର ଦାସ, ବନମାଳୀ ବଡରଇତ ପ୍ରମୁଖ ମଞ୍ଚାସୀନ ରହି ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ଓ ଯୁଧିଷ୍ଠିର ପାଇକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ମଣ୍ଡଳ ସଂଯୋଜକମାନେ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।