ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅଧିନ ସାନକୋଦଣ୍ଡା ପଞ୍ଚାୟତର ବଡ ପଥରା ଗ୍ରାମରେ ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ତ୍ରିନଥା ବିଷୋୟୀ ବୟସ ପ୍ରାୟ ୭୧ ବର୍ଷ ଛୁଇଁଲାଣି । ପରିବାର କହିଲେ ପତ୍ନୀ, ୩ ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର ଗଢିଥିଲେ । ହେଲେ ବିଧିର ଲେଖନୀ ଥିଲା ତାଙ୍କ ପାଇଁ କିଛି ଅଲଗା । ପ୍ରଥମେ ଜନ୍ମର କିଛି ଦିନ ପରେ ସାନ ଝିଅର ମୃତ୍ୟୁ ଘଟିଥିଲା । ଏହାପରେ ପ୍ରାୟ ୧୦ ବର୍ଷ ତଳେ ସେ ତାଙ୍କର ଧର୍ମପତ୍ନୀଙ୍କ ଦେହାନ୍ତ ଘଟିଥିଲା । ଏହାର କିଛି ବର୍ଷ ପରେ ମଝିଆ ଝିଅର ମଧ୍ୟ ସ୍ୱାସ୍ଥ୍ୟ ଗତ କାରଣରୁ ମୃତ୍ୟୁ ହୋଇସାରିଛି । ବଡ ଝିଅକୁ ବିବାହ ଦେଇଥିବା ବେଳେ ପୁଅ ସହ ଘରେ ରହୁଥିଲେ । ପୂର୍ବରୁ ତାଙ୍କ ବଡ ଝିଅକୁ ବିବାହ କରାଇ ସାରିଥିବା ବେଳେ ସେ ମଧ୍ୟ ଦେହ ଖରାପ ଯୋଗୁ ୮ ବର୍ଷ ପୂର୍ବରୁ ତାର ମଧ୍ୟ ମୃତ୍ୟୁ ହୋଇଛି । ଆଉ ଏବେ ତାର ୨ ଟି ଝିଅ ତ୍ରିନାଥଙ୍କ ପାଖରେ ରହି ପଢୁଛନ୍ତି । ବଡ ନାତୁଣୀ ଦଶମ ପଢା ସାରି ଘରେ ରହିଥିବା ବେଳେ ସାନ ନାତୁଣୀ ବାହାଡାପଦର ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଛି । ଏଭଳି ସ୍ଥିତିରେ ସାହାର ପାଲଟିଥିଲା ପୁଅ ନିର୍ମଳର ମଧ୍ୟ ମୃତ୍ୟୁ ପରେ ତ୍ରିନାଥ ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ନିର୍ମଳ ପ୍ରାୟ ୭-୮ ବର୍ଷ ହେଲା ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି କାମ କରି ଆସୁଥିଲା । ମଝିରେ ମଝିରେ ଗ୍ରାମକୁ ଆସୁଥିବା ବେଳେ ଗତ ମାର୍ଚ୍ଚ ମାସରେ ମଧ୍ୟ ଘରକୁ ଆସିଥିଲା । ପ୍ରତି ମାସରେ ଘର ଖର୍ଚ୍ଚ ପାଇଁ ଟଙ୍କା ପଠାଉଥିଲା । କିନ୍ତୁ ଗତ ୧୮ ତାରିଖ ଦିନ ହଠାତ ତାର ମୃତ୍ୟୁ ଘଟିଥିବା ନେଇ ଖବର ଆସିଥିଲା । ମୃତ୍ୟୁର ପ୍ରକୃତ ଘଟଣା ସେ ଜାଣି ପାରିନଥିବା ବେଳେ ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଥିବା ସେଠାକାର ଲୋକ ଫୋନ ଯୋଗେ ଜଣାଇଥିବା ତ୍ରିନାଥ କହିଛନ୍ତି । ଏଭଳି ଖବର ଶୁଣିବା ସହ ମୋବାଇଲରେ ତାଙ୍କ ପୁଅର ମୃତ୍ୟୁ ଫଟୋ ଦେଖିଥିଲେ । ଏହାପର ଠାରୁ ତାଙ୍କର ଆଖିରେ ଲୁହ ଶୁଖୁନଥିବା ବେଳେ ଆଗାମୀ ଦିନରେ କିଭଳି ବଞ୍ଚିବେ ସେ ଚିନ୍ତା ମଧ୍ୟ ଘାରିଛି । ଏହି ଖବର ଜାଣିବା ପରେ ଭଞ୍ଜନଗର ଥାନାଅଧିକାରୀ ଜୀବନାନନ୍ଦ ଜେନା ଦୁଃଖ ପ୍ରକାଶ କରି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସ୍ଥାନୀୟ ଗ୍ରାମର ଯୁବ ସାମ୍ବାଦିକ ଗୋବିନ୍ଦ ଗୌଡଙ୍କ ସହଯୋଗରେ ଥାନା ଅଧିକାରୀ ଉକ୍ତ ପରିବାରକୁ ୧୦ ହଜାର ଟଙ୍କା ଆଜି ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ତ୍ରିନାଥଙ୍କୁ ମାସିକ ଭତ୍ତା ମିଳୁଥିବା ବେଳେ ସରକାରୀ ଆବାସ ଓ ରାସନ ମଧ୍ୟ ପ୍ରଦାନ କରାଯାଉଥିବା ସେ କହିଛନ୍ତି ।