ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନିନ୍ଦ୍ର ହୋନ୍ନାଗା, ସ୍ଥାନୀୟ ବିଡିଓ ଲରିମନ ଖର୍ସଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲାପରିଷଦ ଯମୁନା ଦଳ ବେହେରା, ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ରହି ଅଞ୍ଚଳବାସୀଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଏଥିରେ ୪ ଗୋଟି ପଞ୍ଚାୟତ ତଥା ଛେଲାଗଡ, ଛେଳିଗଡ, ମହେନ୍ଦ୍ରଗଡ଼ ଓ ଡାବରାଗୁଡା ଗ୍ରାମପଞ୍ଚାୟତରୁ ଆସିଥିବା ୧୧୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୭୦ଟି ବ୍ୟକ୍ତିଗତ ଏବଂ ୪୦ଟି ଗୋଷ୍ଠୀଗତ ଅଭିଯୋଗ ମଧ୍ୟରୁ ୫ ଗୋଟି ବ୍ୟକ୍ତିଗତ ସମସ୍ୟାରକୁ ତୁରନ୍ତ ସମାଧାନ ହୋଇଥିଲା । ସମସ୍ୟା ମଧ୍ୟରେ ରାସ୍ତା, ନେଟଓ୍ବାର୍କ ସେବା, ବିଦ୍ୟୁତ ଯୋଗାଣ ଓ ବାତ୍ୟା ମନ୍ଥାର କ୍ଷତିପୂରଣ ଦାବି ପରି ଅଭିଯୋଗ ଆସିଥିବା ଜଣାପଡିଛି । ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସମସ୍ୟା ଗୁଡିକ ସମାଧାନ ଲାଗି ଚେଷ୍ଟା କରାଯିବ ବୋଲି କହିଥିଲେ ।