ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖରର ଇକୋ ରିସୋର୍ଟ ଉଦଘାଟିତ……

ରାୟଗଡ(ଟିକି ଲିମା): ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖରରେ ଥିବା ଇକୋ ରିସୋର୍ଟକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ଠାରେ ନବ ନିର୍ମିତ ଇକୋ ରିସୋର୍ଟକୁ ଶୁଭ ଉଦଘାଟନ କରିଛନ୍ତି । ତାଙ୍କ ସହିତ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂହ ଖୁଣ୍ଟିଆ ଓ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିବା ବେଳେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତି ଭାସନ୍ ଓ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କେ.ନାଗାରାଜୁଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ସ୍ଥାନ । ଏଠାରେ ତିନିଗୋଟି ପ୍ରାଚୀନ ମନ୍ଦିର, ଭୀମ ମନ୍ଦିର, ଯୁଧିଷ୍ଠିର ଓ କୁନ୍ତୀ ମନ୍ଦିର, ଅର୍ଜୁନ ଗୁମ୍ଫା ରହିଅଛି । ଏଠାରେ ସର୍ବଦା ମନ୍ଦ ମଳୟ ପ୍ରବାହିତ ହୋଇଥାଏ । ଜଳବାୟୁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ, ପ୍ରତିଦିନ ଏଠାରେ ବର୍ଷା, ଶୀତ, ବସନ୍ତ ଇତ୍ୟାଦି ଷଡ଼ଋତୁ ଅନୁଭୂତ ହୁଏ । ମହେନ୍ଦ୍ରଗିରିର ଅରଣ୍ୟ ଶୋଭା ଭାରି ମନଲୋଭା l ବର୍ଷାଦିନେ ପର୍ବତ ଶୃଙ୍ଗରେ ମେଘମାଳା ଭାରି ଆକର୍ଷଣୀୟ ଓ ସୂର୍ଯ୍ୟ ଉଦୟ ଦର୍ଶନ ଏଠାରେ ଅତ୍ୟନ୍ତ ରମଣୀୟ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ ଟୁରିଜିମ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି ଏବଂ ଏହି ଇକୋ ଟୁରିଜିମ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିବାରେ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି । ସେହିପରି ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର, ଖସଡ଼ା ଜଳପ୍ରପାତ, ରାୟଗଡ ବ୍ଲକର ଗଣ୍ଡାହାତୀ ଜଳପ୍ରପାତ ସହିତ ଆହୁରି ଆନେକ ପର୍ଯ୍ୟଟନ ସ୍ଥଳ ରହିଅଛି ।