ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସଭା ଗୃହରେ ସୋମବାର ଦିନ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଓ ଆରକ୍ଷୀ ଅଧିକ୍ଷକ ହରିଶ ବିଶିଙ୍କ ଦ୍ଵାରା ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକର ୨୫ ଗୋଟି ପଞ୍ଚାୟତରୁ ମୋଟ ୨୨୯ ଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ଭାବେ ୧୦୭ ଏବଂ ବ୍ୟକ୍ତିଗତ ଭାବେ ୧୨୨ଟି ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ସାମୁହିକ ଅଭିଯୋଗ ମଧ୍ୟରେ ସଡ଼କ ନିର୍ମାଣ, ପାନୀୟ ଜଳ ଓ ଇଣ୍ଟରନେଟ୍ ଭଳି ସମସ୍ୟା ଉପରେ ଅଭିଯୋଗ ହୋଇ ଥିବା ବେଳେ ବ୍ୟକ୍ତିଗତ ଭାବେ ବାର୍ଦ୍ଧକ୍ୟ ବିଧବା ଓ ଦିବ୍ୟାଙ୍ଗ ଭତ୍ତା ଓ ଚିକିତ୍ସାରେ ସହାୟତା ପାଇଁ ଅଭିଯୋଗ ରହିଥିଲା, ସେଥି ମଧ୍ୟରୁ ଦାସିଂବାଡ଼ି ପଞ୍ଚାୟତ ଟେକାଙ୍ଗିଆ ଗ୍ରାମର ଉର୍ମିଳା ଦିଗାଲଙ୍କୁ ୨୫ ହଜାର ଓ ସିର୍କାବର୍ଗ ପଞ୍ଚାୟତ, ବଡାଙ୍ଗିଆ ଗ୍ରାମର କାଲି ବଳିଆର ସିଂଙ୍କୁ ହ୍ୱୀଲ୍ ଚେର ସହ ୧୫ହଜାର ଟଙ୍କା ଏହି ଦୁଇଜଣ ହିତାଧିକାରୀଙ୍କୁ ଚିକିତ୍ସା ପାଇଁ ମୋଟ ୪୦ ହଜାର ଟଙ୍କାର ଅନୁଦାନ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇ ଥିବା ଜଣା ପଡ଼ିଛି । ସମସ୍ତ ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଅଲୋକି କରଣ କରିବା ପାଇଁ ଦାବୀ ଉପସ୍ଥାପନ କରାଯିବା ସହ ଆଗାମୀ ୨୦୨୬ ଶୀତ ମହୋତ୍ସବକୁ ରାଜ୍ୟ ସ୍ତର ମହୋତ୍ସବର ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଥିଲା । ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମ ପରିଚାଳନାରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଏବଂ ତହସିଲଦାର ଧିରଜ ପାତ୍ରଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ, ଯନ୍ତ୍ରୀ ଓ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।