ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତିଝର ପିକନିକ ସ୍ପଟରେ ଦିନକୁ ଦିନ ପର୍ଯ୍ୟଟକମାନଙ୍କ ବେସ ଭିଡ ବଢୁଥିବା ଦେଖିବାକୁ ମିଳୁଛି । ହେଲେ ଆବଶ୍ୟକତା ଅନୁଯାୟୀ ଏହାର ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ଏହାର ବିକାଶ ପାଇଁ ଶାନ୍ତିଝର ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭା ସନ, ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ସଂଗ୍ରାମ କେଶରୀ ଜେନା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ଶାନ୍ତିଝର ପିକନିକ ସ୍ପଟକୁ ପରିଦର୍ଶନ କରିଥିଲେ । ସୁଳିଆ ପାହାଡ଼ର ପାଦ ଦେଶରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ବଣ ଭୋଜି କରିବା ପାଇଁ ଲୋକଙ୍କର ଭିଡ ଶୀତ ଦିନେ ବେଶ ଜମିଥାଏ । ଶାନ୍ତ ସୁନ୍ଦର ପରିବେଶ ସାଙ୍ଗକୁ ବଣ ଜଙ୍ଗଲରୁ ଝରି ଆସୁଥିବା ଝରଣାର କୁଳୁ କୁଳୁ ନାଦ ଏହାର ପରିବେଶକୁ ଆହୁରି ମନୋରମ କରିଥାଏ । ମୁଖ୍ୟ ରାସ୍ତାରେ ଶାନ୍ତିର ପ୍ରତୀକ ଭଗବାନ ବୁଦ୍ଧଙ୍କ ପ୍ରତିର୍ମୂର୍ତି ଦର୍ଶକଙ୍କ ମନ ମୋହୁଥିବା ବେଳେ ପୀଠର ପାଦ ଦେଶରେ ମା କଠୁଳିଆ ଦେବୀ ପବିତ୍ର ପୀଠ ମଧ୍ୟ ଭାଗରେ ସିଦ୍ଧ ଗୁମ୍ଫାରେ ମା ରାଜ ରଜେଶ୍ୱରୀ ଗଡଚଣ୍ଡିଙ୍କ ଜ୍ୱଳନ୍ତ ମୂର୍ତ୍ତି, ସବା ଉପରେ ଶ୍ରୀ ସିଦ୍ଧ ମହାବୀର ଧାମ, ହନୁମାନ ବାଟିକା ଅବସ୍ଥିତ, ତଳ ଭାଗରେ ରହିଥିବା ଶାନ୍ତିଝର ଶିଶୁ ପାର୍କ ପିଲାଙ୍କ ମନ ମହୁଥିବା ବେଳେ ମହାବୀର ଘାଟିରେ ଗାଡି ଚାଳନା ପର୍ଯ୍ୟଟକମାନଙ୍କୁ ଅନନ୍ୟ ଅନୁଭୂତି ଦେଇଥାଏ । ଆଜି ଜିଲ୍ଲାପାଳ ଉପର ଭାଗରେ ଥିବା ହନୁମାନ ବାଟିକାରେ ପହଞ୍ଚି ନିର୍ମାଣଧିନ ଥିବା ଏକ 36 ଫୁଟ ଉଚ୍ଚତାର ହନୁମାନ ପ୍ରତିମୂର୍ତ୍ତି ବୁଲି ଦେଖିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠର ଭିତ୍ତି ଭୂମିର ବିକାଶ ସହ ଏହି ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଠାରେ ଆଦର୍ଶ ପୁଷ୍କରିଣୀ ଖନନ, ଚେକଡେମ ନିର୍ମାଣ, ସୌନ୍ଦର୍ଯ୍ୟ କରଣ, ଆଲୋକି କରଣ, ଶିଶୁ ଉଦ୍ୟାନର ବିକାଶ, ପକ୍କା ରାସ୍ତା ନିର୍ମାଣ ସହ ପରିବେଶର ସ୍ବଚ୍ଛତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ଶାନ୍ତିଝର ପୀଠରେ ପହଞ୍ଚି ଏହାର ଭିତ୍ତିଭୂମିର ବିକାଶ ପାଇଁ ଆଗଭର ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ସଞ୍ଚାର ହେବା ସହ ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଲୋକେ ଦାବୀ କରିଛନ୍ତି ।