ଗୁମ୍ମା ବ୍ଲକରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ସାମିଲ ହେଲେ ବିଧାୟକ….

ଗଜପତି(ପ୍ରବୀଣ କୁମାର ଲିମା): ସରକାର ପରିବର୍ତ୍ତନ ହୋଇଛି ସତ କିନ୍ତୁ ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ଯଥେଷ୍ଟ ଭଲ ପାଇବା । ତାଙ୍କ ଶାସନ ସମୟକୁ ଭୁଲି ପାରୁ ନାହାଁନ୍ତି ଲୋକେ । ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ପଦଯାତ୍ରାରେ ଦେଖିବାକୁ ମିଳୁଛି ଏ଼ହାର ନିଦର୍ଶନ । ହଜାର ହଜାର ସଂଖ୍ୟାରେ କର୍ମୀ ଓ ଜନସାଧାରଣ ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଗୁମ୍ମା ବ୍ଲକ ଅଧ୍ୟକ୍ଷ ସୁନେମି ମଣ୍ଡଳ, ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଆଜି ଗୁମ୍ମା ବ୍ଲକ ପରିକ୍ରମା କରି ବିଜେପି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯ୍ୟାତନା ବୃଦ୍ଧି, ବିକାଶ କାର୍ଯ୍ୟ ଠପ୍, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ମାରଣ ନୀତି ଆଦି ନେଇ ବର୍ଷିଛନ୍ତି । ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇବା ପରେ ସରକାର ଚଳାଇବାରେ ବିଜେପି ଅକ୍ଷମ ବୋଲି ଅଭିଯୋଗ କରିଛି ବିଜେଡ଼ି । ଏସବୁକୁ ମୁଖ୍ୟ ମୁଦ୍ଦା କରି ଲୋକଙ୍କ ନିକଟକୁ ଯାଉଛି ବିଜେଡି । ଗୁମ୍ମା ବ୍ଲକ କାର୍ଯ୍ୟାଳୟ ଛକ ଠାରେ ବିଧାୟକଙ୍କୁ ସ୍ଵାଗତ ଜଣାଇବା ପରେ ଶୁଭାରମ୍ଭ ହୋଇଥିଲା ଶୋଭାଯାତ୍ରା । ହଜାର ହଜାର ଲୋକ ଶୋଭାଯାତ୍ରାରେ ବାହାରି ପାଇକ ସାହି ପହଞ୍ଚିଥିଲା । ପଦଯାତ୍ରାରେ ଶଙ୍ଖନାଦ ଓ ବାଜା ବାଣରେ କମ୍ପିଥିଲା ଅଞ୍ଚଳ । ‎ନବୀନଙ୍କୁ ଏବେବି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକେ ଝୁରୁଥିବା ବେଳେ ବିଜେପି ସରକାର ଆସିବା ପର ଠାରୁ ଏଯାଏଁ ଉନ୍ନୟନ ମୂଳକ କାର୍ଯ୍ୟରେ କଡ଼େଇ ବାଲି ଗୋଡ଼ି ପଡିଲାନି ବୋଲି କହିଛନ୍ତି ବିଧାୟକ । ଏତତ ବ୍ୟତୀତ ହଜାର ହଜାର କୋଟି ଟଙ୍କା ଋଣ କରିବା ସହ ବିଜେପି ୧୮ ମାସରେ ଓଡ଼ିଶାକୁ ବରବାଦ କରିବାକୁ ବସିଲାଣି ବୋଲି ପଥପ୍ରାନ୍ତ ଭାଷଣରେ ଗର୍ଜିଛନ୍ତି ନେତା ଓ କର୍ମୀ l