ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ନୂତନ ଭାବେ ଡ୍ରେନ୍ ନିର୍ମାଣ କରାଯାଇଛି l ତେବେ ଉକ୍ତ କାର୍ଯ୍ୟରେ ବିଶେଷ ଅନିୟମିତତା ଦେଖା ଦେଇଛି l ଅନେକ ସ୍ଥାନରେ ଡ୍ରେନ ଉପରେ ପ୍ଲେଟ୍ ପଡ଼ି ନଥିବା ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ କେତେକ ସ୍ଥାନର ପ୍ଲେଟ୍ ଭାଙ୍ଗି ଯାଇଥିବା ଦେଖାଦେଇଛି l ସାହିମାନଙ୍କୁ ସଂଯୋଗ କରୁଥିବା ଡ୍ରେନରେ ସଠିକ୍ ଭାବେ ପ୍ଲେଟ୍ ପକା ଯାଇ ନ ଥିବାରୁ ସାହି ମଧ୍ୟକୁ ଗାଡ଼ି ଯିବା ଆସିବା କରିବା ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଜୀବଜନ୍ତୁ ତଥା ଲୋକମାନେ ମଧ୍ୟ ଡ୍ରେନ ଭିତରେ ଖସି ପଡ଼ୁଥିବା ଦେଖିବାକୁ ମିଳୁଛି । ଶନିବାର ଦିନ ଛତୁଆ ବୋଝେଇ ଏକ ଭାରୀ ଯାନ ହାଟପଦା ସାହିରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ସମୟରେ ଡ୍ରେନ ଭିତରେ ଫସି ଯାଇ ଥିବା ବେଳେ ବହୁ କଷ୍ଟରେ ଗାଡ଼ି ଚାଳକମାନେ ତାହା କାଡ଼ିବାରେ ସକ୍ଷମ ହୋଇଥିଲେ । ଏଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀମାନେ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।