ମାତୃଭାଷାର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ, ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି: କନ୍ଧମାଳ ସାଂସଦ

ଭଞ୍ଜନଗର(ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଷ୍ଟୁଡିଓ ବୁଧବାର ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟକ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟୁଡ଼ିଓକୁ ଉଦଘାଟନ କରିଥିଲେ । ଏହି ଅବସରରେ ଏମପି ପାଣିଗ୍ରାହୀ କହିଥିଲେ, ମାତୃଭାଷା ଏବଂ ମାତୃଭୂମିର ବିକାଶ ହେଲେ ହିଁ ଯାଇ ରାଜ୍ୟର ବିକାଶ ସମ୍ଭବ । ତେଣୁ ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ଓଡିଆ ଗଣମାଧ୍ୟମ ଉପରେ ମଧ୍ୟ  ଛାତ୍ରୀଛାତ୍ରମାନେ ଅଧିକ ଜ୍ଞାନ ଆହରଣ କରନ୍ତୁ । ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି । ସାମ୍ୱାଦିକମାନେ ମଧ୍ୟ ନିର୍ଭୀକ ଏବଂ ନିରପେକ୍ଷ ହେବାକୁ ଆହ୍ବାନ କରିଥିଲେ । ଏଥିସହ ସେ କହିଥିଲେ, ଅତିତକୁ ସ୍ମରଣ କରି ଭବିଷ୍ୟତକୁ ବଢିବାକୁ ପଡିବ । ଅତୀତକୁ କେବେ ଭୁଲିବାକୁ ହେବନାହିଁ । ଶିକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତୀ ପାଇଁ ନୂଆଁ ଶିକ୍ଷା ନୀତି ୨୦୨୦ ଲାଗୁ ହୋଇଛି । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସରକାର  ବହୁ ପଦକ୍ଷେପ ନେଇଛନ୍ତି । ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଦୁଇଟି ନୂଆଁ ଛାତ୍ରାବାସ ନିର୍ମାଣ ହେବ ।  ଶିକ୍ଷା କ୍ଷେତ୍ରରେ ଆମେ ଯେତେ ବିକାଶ କରିବା ଦେଶ ସେତେ ଆଗକୁ ବଢିବ । ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଶିକ୍ଷକ ବ୍ୟବସ୍ଥା ଅଛି । ଏଥିରେ ପରିବର୍ତ୍ତନ ଆଣିବାକୁ ପଡିବ । ଗଣମାଧ୍ୟମ କ୍ଷେତ୍ରରେ ଆମେ ବହୁତ ଆଗକୁ ଯାଇଛେ । ଭଲ ପରିବେଶରେ ଆମେ ପାଠ ପଢିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ବୋଲି ଏମପି ପାଣିଗ୍ରାହି କହିଥିଲେ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର କଲେଜର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଏଥିସହ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ ବିଧାୟକ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଏସ.ଡି.ପି.ଓ ଡ.ଦୀପକ ମିଶ୍ର, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରଥ, ବିଭାଗୀୟ ମୁଖ୍ୟ ଅଧ୍ୟାପକ ବାବୁଲା  ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ । ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରାଧ୍ୟାପକ ହର ପ୍ରସାଦ ଶତପଥି ସଭାକୁ ସଂଯୋଜନା କରିଥିଲେ ।  ବିଭାଗୀୟ ଅଧ୍ୟାପିକା ମାମାଲି ନାୟକ ଏବଂ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।  ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହା ପୁର୍ବରୁ ଏମପି, ବିଧାୟକ ଏକ ପେଡ୍ ମାଙ୍କ ନାମରେ ଗଣ ଯୋଗାଯୋଗ ବିଭାଗ କ୍ୟାମ୍ପସରେ ଚାରା ରୋପଣ କରିଥିଲେ ।  ଶେଷରେ ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।