ଭଞ୍ଜନଗର ବିଜେଡିକୁ ଶକ୍ତଧକ୍କା, ମହାମିଶ୍ରଣରେ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ….

ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ଜଳସଂପଦ ବିଭାଗ ଡାକ ବଙ୍ଗଳାରେ ବୁଧବାର ଭଞ୍ଜନଗର ବିଜେପି ପକ୍ଷ ରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ଼, ବାରୁଡ଼ା ସରପଞ୍ଚ ମମତା ନାୟକ, ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼, ହରିଗଡ ସରପଞ୍ଚ ସୁଦର୍ଷ୍ଣା ଦଳବେହେରା, ସାନକୋଦଣ୍ଡା ସମିତିସଭ୍ୟା ନମିତା ନାୟକ, ଡୁମାକୁମ୍ପା ପଞ୍ଚାୟତର ପୂର୍ବତନ ସରପଞ୍ଚ ମିଟୁ ପ୍ରଧାନ, ପୂର୍ବତନ ସମିତିସଭ୍ୟ ଟୁକୁନା ସାହୁ, ଭଞ୍ଜନଗର ଏନଏସିନ ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରାଙ୍କ ସମେତ ସେମାନଙ୍କର ଶତାଧିକ କର୍ମୀ ଓ ବିଭିନ୍ନ ପଞ୍ଚାୟତର ଅନ୍ୟ ଦଳର କର୍ମୀ ବିଜେପିରେ ଯୋଗଦେଇଛନ୍ତି । କନ୍ଧମାଳ ସାସଂଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ଜନପ୍ରତିନିଧି ଓ ସେମାନଙ୍କର ସମର୍ଥକ ଦଳରେ ଯୋଗଦାନ ପରେ ଭଞ୍ଜନଗର ବ୍ଲକରେ ଦଳୀୟ ସଂଗଠନ ବୃଦ୍ଧି ପାଇବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ସାସଂଦ ଶ୍ରୀ ପାଣିଗ୍ରାହୀ ଓ ବିଧାୟକ ଶ୍ରୀ ନାୟକ କହିଛନ୍ତି । ସରକାର ପରିବର୍ତ୍ତନ ଘଟିବା ବିଜେଡି ହାତରୁ ରାଜ୍ୟର ଶାସନ ଭାର ଯିବାର ଦେଢ ବର୍ଷ ପୁରିବାକୁ ଯାଉଛି । ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ୍ ସରକାର । ଇତି ମଧ୍ୟରେ ମୋହନ ସରକାରଙ୍କ ସୁଭଦ୍ରା ଓ ସିଏମ୍ କିଷାନ ବିରୋଧୀ ବିଜେଡିକୁ ବିଚଳିତ କରି ପକାଇଛି । ଭଞ୍ଜନଗରର ଜଣକ ପରେ ଜଣେ ନେତା ବିଜେଡି ଛାଡି ଭାଜପା ମୁହାଁ ହେଉଛନ୍ତି । ବିଜେଡି ନେତା ଯେତେ ଚେଷ୍ଟା କଲେ ମଧ୍ୟ ପଞ୍ଚାୟତର ଜନପ୍ରତିନିଧିଙ୍କୁ ଅଟକାଇବାରେ ସକ୍ଷମ ହୋଇ ପାରୁ ନାହାଁନ୍ତି । ପଞ୍ଚାୟତର ବିକାଶ ପାଇଁ ନିର୍ବାଚନମଣ୍ଡଳୀର ଆହୁରି ଅନେକ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡ ସଭ୍ୟଙ୍କ ସମେତ ଦଳୀୟ କର୍ମୀ ଆଗାମୀ ଦିନରେ ଭାଜପାରେ ସାମିଲ ହେବେ ବୋଲି ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି । କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟାକ୍ଷ ନିଳାଞ୍ଚଳ ଖିଲାର, କନ୍ଧମାଳ ସାସଂଦଙ୍କ ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ, ନଗର ପ୍ରତିନିଧି ସନ୍ତୋଷ କୁମାର ତିଆଡି, ହରିଗଡ଼ ପୂର୍ବତନ ସରପଞ୍ଚ ନିରଞ୍ଜନ ବେହେରାଙ୍କ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ । ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼ ସଭା ସଂଯୋଜନା କରିଥିବା ବେଳେ ପ୍ରାକ୍ତନ ସରପଞ୍ଚ ତଥା ଭାଜପାର ବରିଷ୍ଠ ନେତା ଧୋବା ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।