ଭଞ୍ଜନଗର(ନିଲୁ ବିଷୋୟୀ): କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିବା ପର ଠାରୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି । ଭୂସ୍ଖଳନରେ ଭୁଶୁଡ଼ି ପଡିଥିବା କଳିଙ୍ଗା ଘାଟି ରାସ୍ତା କାମ ମାସକ ପରେ ବି ସରିନାହିଁ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜନସାଧାରଣ ଆବଶ୍ୟକତାକୁ ଗୁରୁତର ଭାବେ ନ ନେବା ଯୋଗୁ କାମ ମନ୍ଥର ଗତିରେ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାର୍ଶ୍ଵରେ ଗାର୍ଡ଼ୱାଲ୍ ନିର୍ମାଣ କରାଯିବା ସହ ଭୂସ୍ଖଳନ ହୋଇଥିବା ସ୍ଥାନ ଉପରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବଡ଼ ପଥରକୁ ହଟାଇବାକୁ ଯୋଜନା କରାଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ଚାରିଚକିଆ ଏବଂ ଦୁଇ ଚକିଆ ଯାନକୁ ପରୀକ୍ଷାମୂଳକ ଭାବେ ଉକ୍ତ ରାସ୍ତାରେ ଚଲାଇବା ଲକ୍ଷ୍ୟରେ କାମ ଚାଲିଛି ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଭଞ୍ଜନଗରରେ ହୋଇଥିବା ଏକ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ଭବିଷ୍ୟତକୁ ଆଖି ଆଗରେ ରଖି ସେଠାରେ ପୂର୍ବରୁ ଥିବା ଆଉ ଏକ ଅସ୍ଥାୟୀ ରାସ୍ତାକୁ ସବୁଦିନିଆ ରାସ୍ତା ଭାବେ ଖୋଲିବା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ବିକଳ୍ପ ରାସ୍ତା ଅନୁଧ୍ୟାନ କରିବାକୁ ଯାଇଥିଲେ । ଉକ୍ତ ରାସ୍ତାରେ କୌଣସି ବଡ ଘାଟି ପଡୁନାହିଁ । ଭାଲିଆପଟା ଠାରୁ ପ୍ରାୟ ୫ କି.ମି. ରାସ୍ତା ପଡୁଛି । ତେଣୁ ଭବିଷ୍ୟତକୁ ଦେଖି ଉକ୍ତ ରାସ୍ତାଟି ବିକଳ୍ପ ରାସ୍ତା ଭାବେ ବ୍ୟବହାର କିଭଳି ହେବ ସେ ନେଇ ସମସ୍ତେ ମତ ଦେଇଥିଲେ । ଏଥିପାଇଁ ଆଗାମୀ ଦିନରେ ସରକାରଙ୍କ ଅନୁମୋଦନ ଲୋଡାଯିବ ବୋଲି ଜଣାପଡିଛି । ବିଧାୟକଙ୍କ ଅନୁଧ୍ୟାନ ବେଳେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଚଳ ଖିଲାର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ୧୫୭ ନମ୍ବର ଜାତୀୟ ରାଜପଥ ଗତ ମାସ ୧୬ ତାରିଖ ଦିନ ପ୍ରବଳ ବର୍ଷାରେ ଭୁସ୍ଖଳନ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସି ପ୍ରାୟ ୩୦ ମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଥିଲା ।