ଧାନ ଫସଲରେ ବଢୁଛି ରୋପୋକ: ସ୍ଥିତି ଅନୁଧ୍ୟାନ କଲେ କୃଷି ଅଧିକାରୀ, ସହାୟତା ଦାବି…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ, ବିଶେଷଜ୍ଞଙ୍କ ବିନା ଅନୁମତିରେ ମନ ଇଛା କୀଟନାଶକ ଔଷଧ ସିଞ୍ଚନ ସମେତ ଅନ୍ୟାନ୍ୟ କାରଣ ଯୋଗୁ ଧାନ ଗଛରେ ମାଟିଆଗୁଣ୍ଡି ଓ ଜଉପୋକ ରୋଗ ଲାଗିଛି । ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ଗାଲେରୀ, ହରିଗଡ, ବ୍ରାହ୍ମଣପଦର, ଦୋମୁହାଣୀ, ଜିଲୁଣ୍ଡି, ବାଉଁଶଲୁଣ୍ଡି, ପଢ଼ାଳ, କୁଲାଡ, ଲାଲସିଂ, ମୁଜାଗଡ଼, ଗୁଣ୍ଡିରିବାଡ଼ି ପ୍ରମୁଖ ପଞ୍ଚାୟତର ଧାନ ଫସଲରେ ଚକଡ଼ା ଓ ମାଟିଆଗୁଣ୍ଡି, ଜଉପୋକ ରୋଗ ଲାଗିଛି । ବର୍ତ୍ତମାନ ଧାନ କେଣ୍ଡା ଧରିବା ସମୟରେ ପୋକ ଲାଗିବା ଯୋଗୁ ଫସଲ ବିଶେଷ କ୍ଷତି ହେଉଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଭବିଷ୍ୟତରେ ଏହି ସମସ୍ୟା ବଢ଼ିଲେ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବାକୁ କିଛି ଚାଷୀ ଦାବି କରିଛନ୍ତି । ଏହିଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି । ଗୁରୁବାର ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ଭଞ୍ଜନଗର କୃଷି ବିଜ୍ଞନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ.ସୁତୁନୁ ଶତପଥି, ବୈଜ୍ଞାନିକ ଡ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ମାଟିଆଗୁଣ୍ଡି, ଜଉପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଗାଲେରୀ ଅଞ୍ଚଳର ଚାଷ ଜମି ବୁଲି ଅନୁଧ୍ୟାନ କରିଛନ୍ତି । ସଠିକ ଜଳ ପରିଚାଳନା ସହ ଆବଶ୍ୟକ କୀଟନାଶକ ସିଞ୍ଚନ କରିବାକୁ ବିଶେଷଜ୍ଞ ଦଳ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବଜାରରେ ମିଳୁଥିବା କୀଟନାଶକ ଆଣି ପକାଇଲେ ମଧ୍ୟ କିଛି ବିଶେଷ ପ୍ରଭାବ ପଡୁନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । କିନ୍ତୁ ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ବାରା ଏବେ କେତେକ ସ୍ଥାନରେ ଧାନ ଫସଲ ରୋଗମୁକ୍ତ ହୋଇଥିବା ଜଣାପଡିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଅଧିକ ମାତ୍ରାରେ ୟୁରିଆ ବ୍ୟବହାର ଦ୍ବାରା ରୋଗପୋକ ବଢ଼ୁଛି । ଦୀର୍ଘ ସମୟ ଧରି ଧାନ ଗଛରେ କିରଣ ନ ପଡ଼ିବା, ବିଲରେ ପାଣି ଜମିରହିବା ଏବଂ ଲାଗି ଲାଗି ଧାନ ରୋଇବା ଫଳରେ ଏହି ପୋକ ଅଧିକ ଲାଗିବାର ଆଶଙ୍କା ରହିଛି । ତଥାପି ରୋଗପୋକ ଲାଗିଥିବା ଫସଲରେ ଆବଶ୍ୟକ କୀଟନାଶକ ପ୍ରୟୋଗ କରିବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଖୋଲା ବଜାରରୁ ଔଷଧ କିଣି ପ୍ରୟୋଗ କରିବା ପରେ ପଞ୍ଜିକୃତ ଚାଷୀଙ୍କୁ ଏହାର ସରକାରୀ ରିହାତି ମୂଲ୍ୟ ଡିବିଟି ଜରିଆରେ ଫେରସ୍ତ କରାଯିବା ନିୟମ ରହିଥିବା କୃଷି ବିଭାଗ ସୂଚନା ଦେଇଛି । ତେଣୁ ଚାଷୀମାନେ ତାହାର ସୁଫଳ ନେବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।