ମରଣକୁ ଆହ୍ୱାନ କରୁଛି ଆଟିଗାଁ ରାସ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ…..

ଜୁନାଗଡ଼(ଭବାନୀ ଗହିର): ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଜିଲ୍ଲା ହୋଇଥିବାରୁ ସ୍ଵତନ୍ତ୍ର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ରାସ୍ତା ଘାଟ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଛି । କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଁଟିଗାଁ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଗୋଲାମୁଣ୍ଡା ବ୍ଲକ୍ ଡୁକ୍ରି ପଡା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ତିନି କିମି ଦୂର ହେବ ଦୀର୍ଘ ବର୍ଷରୁ ରାସ୍ତାଟି ଅବହେଲିତ ଅବସ୍ଥାରେ ପଡ଼ି ରହିଛି l ବର୍ତ୍ତମାନ ରାସ୍ତାଟି ମରଣ ଯନ୍ତା ପାଲଟି ଥିବାନେଇ ଲୋକେ ଦହନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି । ଏହି ରାସ୍ତାରେ ବଡ଼ ବଡ଼ ଖାଲ ଖମା ଗର୍ତ୍ତ ରହିଥିବାରୁ ଲଗାଣ ବର୍ଷାରେ କାଦୁଆରେ ପୁର୍ଣ୍ଣ ହୋଇ ଥିବାରୁ ହଜାର ହଜାର ସାଧାରଣ ଲୋକେ ଗମନା ଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉ ଥିବା ଅଭିଯୋଗ ହୋଇଛି l ଏହିଁ ରାସ୍ତାଟି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ମୁଖ୍ୟ ରାସ୍ତା ହୋଇ ଥିବା ସତ୍ତ୍ୱେ କୌଣସି ରାଜ ନେତା ଓ ମନ୍ତ୍ରୀ ତଥା ପ୍ରଶାସନଙ୍କ ଦୃଷ୍ଟିଗୋଚର ହେଉନାହିଁ । ଯାହାଫଳରେ ଅଞ୍ଚଳର ସାଧାରଣ ଲୋକ ମୁଖ୍ୟତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଯିବା ଆସିବାରେ କଷ୍ଟ ଉଠାଇବାକୁ ପଡୁଛି । ବିଶେଷ ପରିମାଣରେ ଆଁଟିଗାଁ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦୁଆର ମୁହଁରେ ଥିବା ବଡ ବଡ ଖାଲ ଖମା ଓ ଗର୍ତ୍ତରେ ଆଣ୍ଠୁଏ ପାଣି ଜମିରହୁ ଥିବାରୁ ବୃଦ୍ଧ ବୃଦ୍ଧାମାନଙ୍କୁ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରାପ୍ତ ସୂଚନାରୁ ଦୀର୍ଘ ଦିନରୁ ଏହି ରାସ୍ତା ନିର୍ମାଣ ପାଇଁ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଧାୟକ ଜୁନାଗଡ଼ ଦିବ୍ୟ ଶଙ୍କର ମିଶ୍ର, ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ଦାଖଲ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହି l ନେତା, ମନ୍ତ୍ରୀ ଓ ସରକାରି ବାବୁଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଇଛି ବୋଲି ଗଣମାଧ୍ୟମ ଆଗରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଯଦି ଆସୁଥିବା ଆଗାମୀ ପାର୍ବଣ ଋତୁର ଯୁଦ୍ଧକାଳୀନ ଭିତ୍ତିରେ ନେତା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଆବଶ୍ୟକ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ସହିତ ରାସ୍ତା ରୋକ୍ କରାଯିବ ବୋଲି  ଆଟିଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସ୍ମିତା ପ୍ରଧାନ, ୱାର୍ଡ ମେମ୍ବର  ଗିରିଧାରୀ ବଗର୍ତ୍ତି, ଗୋଲାପି ନାଏକ, ସୁଶାନ୍ତ ପ୍ରଧାନ, ସୁଧର ପଟେଲ, ତୀର୍ଥରାଜ ନାଗ, ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।