ତାବରଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡା ଗ୍ରାମ ପଞ୍ଚାୟତ ପରିସରରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶଙ୍କର କେରକେଟା, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସମେତ ଜିଲ୍ଲା ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ବଡ଼ପଦା, କେ.ଝାଲରସିଂ, ଖଜୁରୀପଦା, ତାବରଡା ପଞ୍ଚାୟତର ଅଭିଯୋଗ ଶୁଣାଣି ହୋଇ ଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସମୁଦାୟ ମୋଟ ୯୨ ଗୋଟି ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥିରେ ୬୮ଟି ବ୍ୟକ୍ତିଗତ ଥିବାବେଳେ ୨୪ଟି ଗ୍ରାମ ଭିତ୍ତିକ ସମସ୍ୟାର ଅଭିଯୋଗ ଥିଲା । ଗ୍ରାମାଞ୍ଚଳରେ ମୂଖ୍ୟତଃ ନେଟୱର୍କ, ପାନୀୟ ଜଳ, ରାସ୍ତା, ରାସ୍ତା, ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା, ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ ଭଳି ସମସ୍ୟାର ଅଭିଯୋଗ ଆସିଥିଲା । ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଭିଯୋଗ ଶୁଣାଣିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ତହସିଲଦାର ମୋନାଲିସା ଆଚାର୍ଯ୍ୟ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଜନପ୍ରତିନିଧି  ଉପସ୍ଥିତ ଥିଲେ ।