ଜୁନାଗଡ(ଭବାନୀ ଗହିର): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମହାଆଡମ୍ବରେ ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା l ମା ଲଙ୍କେଶ୍ବରୀଙ୍କ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ପର୍ବ ଅନ୍ୟତମ l ଶାରଦୀୟ ଦଶହରାର ଆଗମନ ପ୍ରଥମରୁ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ । ଆସ୍ପିନ ମାସ ମୂଳାଷ୍ଟମୀ ମାଙ୍କ ଖଣ୍ଡାବସା ପର୍ବ ହୋଇଥାଏ । ନାଗ ବଂଶୀୟ ରାଜା ମା ଲଙ୍କେସ୍ଵରିଙ୍କ ଖଣ୍ଡାବସା ପର୍ଵ କେଉଁ ଆବହମାନ କାଳରୁ କରିଆସୁଥିବା ପରମ୍ପରା ଅଦ୍ୟାବଧି ଚାଲି ଆସୁଛି । ଖଣ୍ଡାବସା ପର୍ବର ଉଦେଶ୍ୟ ହେଲା କିମ୍ବଦନ୍ତୀ କହେ ଯେ ପୁର୍ବ କାଳରେ କଳାହାଣ୍ଡି ମହାରାଜ ଯୁଦ୍ଧ କୁ ଯିବା ପୂର୍ବରୁ ଶତ୍ରୁ ଜୟ କରିବା ପାଇଁ ମା ଲଙ୍କେଶ୍ବରୀଙ୍କ ଠାରେ ସୁମରଣ କରି ଆସ୍ପୀନ ମାସ ମୂଳାଷ୍ଟମୀ ଦିନ ଦେବୀଙ୍କ ପ୍ରତୀକ ସ୍ବରୂପ ପାଟ ଖାଣ୍ଡାକୁ ଷୋଡଶ ଉପଚାରରେ ୧୬ କୁଣ୍ଡି ଅରୁଆ ଚାଉଳ ଉପରେ ବସାଇ ନିଶା ରାତ୍ର ରେ ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରରେ ଗୁପ୍ତ ରୀତି ନୀତିରେ ପୂଜା କରି ଯୁଦ୍ଧ ପାଇଁ ଯାଉଥିଲେ । କଳାହାଣ୍ଡି ବାସିଙ୍କ ସୁରକ୍ଷା ତଥା ସୁଖ, ଶାନ୍ତି ଓ ରାଜ୍ୟରେ ଭଲ ଫସଲ ଅମଳ ଉଦେଶ୍ୟରେ ମା ଲଙ୍କେଶ୍ୱରିଙ୍କୁ ପୂଜା କରୁଥିଲେ ମହାରାଜ । ତାହା ଆଜି ମଧ୍ୟ ସେହି ପରମ୍ପରା କାଳ କ୍ରମେ ଚାଲି ଆସୁଛି । ଏହି ଖଣ୍ଡାବସା ପର୍ବ ଆସ୍ପିନ ମାସ ମୂଳାଷ୍ଟମୀରୁ ମହାଷ୍ଟମୀ ୧୬ଦିନ ଧରି ଚାଲି ଥାଏ । ଆସ୍ପିନ ମାସ ମୂଳାଷ୍ଟମୀ ଏହିଦିନ ସନ୍ଧ୍ୟା ସମୟରେ ଜୁନାଗଡ଼ ଡାକ ବଙ୍ଗଳା ଠାରେ ଥିବା ଭଣ୍ଡାରଘରଣୀଙ୍କ ଠାରେ ଏକ ଅସ୍ଥାୟୀ କୁଡିଆ ତିଆରି କରାଯାଇଥାଏ । ସେଠାରେ ମା ଭଣ୍ଡାରଘରଣୀଙ୍କୁ ମନ୍ଦିର ସେବାୟତ ପୂଜା କଲାପରେ ପାଖରେ ଥିବା ବୁଢ଼ାରଜା ମନ୍ଦିରରୁ ବୁଢ଼ାରଜାଙ୍କ ଖଣ୍ଡା ଭଣ୍ଡାରଘରନୀ ନିକଟକୁ ସେବାୟତ ନେଇ ବିଜେ କରିଥାନ୍ତି । ସେହିଭଳି ମା ଲଙ୍କେଶ୍ବରୀଙ୍କ ମନ୍ଦିରରୁ ମଧ୍ୟ ମା ଲଙ୍କେଶ୍ବରୀଙ୍କ ପ୍ରତୀକ ସ୍ବରୂପ, ଜୟା, ଓ ବିଜୟ । ନାମକ ଦୁଇଟି ପାଟଖଣ୍ଡା, ଡାକ ବଙ୍ଗଳାର ଅସ୍ଥାୟୀ କୁଡିଆ ମା ଭଣ୍ଡାରଘରଣିଙ୍କ ନିକଟକୁ ବିଜେ କରିଥାନ୍ତି । କଳାହାଣ୍ଡିର ବିର ବାଦ୍ୟ ଘୁମୁରା, ଜେନା ବାଜା ଢୋଲ, ନିଶାନ, ତାସାର ତାକେ ତାଳେ ମାଙ୍କ ପ୍ରତୀକ ସ୍ବରୂପ ପାଟ ଖଣ୍ଡାକୁ ମନ୍ଦିର ସେବାୟତମାନେ ନେଇ ଆସି ଥାନ୍ତି । ସେଠାରେ ଜଣେ ବଣିଆ ସମ୍ପ୍ରଦାୟର ସେବାୟତ ତିନୋଟି ପାଟ ଖଣ୍ଡାକୁ ମାର୍ଜନ କରିଥାନ୍ତି । ଖଣ୍ଡା ସବୁ ମାର୍ଜନ ହେବା ପରେ ପୁଣି ଥରେ ନିଜ ନିଜ ମନ୍ଦିରକୁ ସେବାୟତ ଧରି ବିର ବାଦ୍ୟ ଘୁମୁରା, ଜେନା ବାଜା, ଢୋଲ, ନିଶାନ, ମହୁରୀ, ତାଶାର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହା ପରେ କଳାହାଣ୍ଡି ମହାରାଜ ମନ୍ଦିରକୁ ଆଗମନ କରିଥାନ୍ତି । କଳାହାଣ୍ଡି ମହାରାଜ ମନ୍ଦିରକୁ ଆଗମନ କଲା ପରେ ଆମ୍ବୃତ ବେଳା ଦେଖି ଖଣ୍ଡା ଦ୍ବୟକୁ ୧୬ କୁଣ୍ଡୀ ଅରୁଆ ଚାଉଳ ଉପରେ ବସାଇ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଗୋଟି ପ୍ରଦ୍ବିପ ପ୍ରଜଜ୍ଵଳନ କର।ଯାଏ । ଏହା ପରେ ଗୁପ୍ତ ରୀତି ନୀତିରେ ମନ୍ତ୍ର, ତନ୍ତ୍ର ଓ ଯନ୍ତ୍ରରେ ପୂଜାକାର୍ଯ୍ୟ ଚାଲେ । ନିର୍ଘଣ୍ଟ ସମୟରେ ଜେନା ଦେବତାଙ୍କ ନିକଟରେ ପଶୁ ବଳି ପଡେ ଓ ଷୋଡଶ ଉପଚାରରେ ନିଶା ରାତ୍ରରେ ପୂଜା ସମାପନ ହୁଏ । ଏହି ଅବସରରେ କଳାହାଣ୍ଡିର ପଡ଼ିଶୀ ଜିଲା ନବରଙ୍ଗପୂର, ଛତିଶଗଡ, ରାୟଗଡା, ନୂଆପଡ଼ାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଖଣ୍ଡାବସା ପର୍ବରେ ଦୂର ଦୁରାନ୍ତରୁ ଆସିଥିବା ଭକ୍ତଙ୍କ ସମାଗମରେ ମୁଖରିତ୍ ହୋଇ ଉଠିଥାଏ ମନ୍ଦିର ପ୍ରାଙ୍ଗଣ । ଶ୍ରଦ୍ଧାଳୁ ଭକ୍ତ ମାଙ୍କ ଦିବ୍ୟ ଦର୍ଶନ ଲାଭ କରି ସାରିବା ପରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ନେଇଥାନ୍ତି ।