ପାରଲାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାରେ “ଭିଜନ ଅନ୍ ହ୍ୱିଲ୍ସ” ପ୍ରକଳ୍ପର ଶୁଭାରମ୍ଭ ଆଜି ଓଡିଶା ସରକାରଙ୍କ ଇସ୍ପାତ, ଖଣିଜ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା କରାଯାଇଛି । ଉଦ୍ଘାଟନ ଅବସରରେ ଗଜପତି ଜିଲ୍ଲାପାଳ ସ୍ମୃତିଶ୍ରୀମତୀ ମଧୁମିତା, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା, ବିଭାଗୀୟ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀ ନାଗରାଜ, ଡେସାଇ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ପ୍ରଣବ ପ୍ରତାପ ସିଂହ, ପ୍ରୋଗ୍ରାମ ଏକ୍ସିକ୍ୟୁଟିଭ ଅନୁଷ୍କା ସୋନି ଓ ପଦ୍ମାବତୀ, ସେଣ୍ଟର ଫର କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡ଼ି)ର ନିଦେଶକ ଏ.ରାଜୁ ଓ ସମସ୍ତ ସିସିଡ଼ି ଦଳ ଉପସ୍ଥିତ ଥିଲେ । ଡେସାଇ ଫାଉଣ୍ଡେସନ ଦ୍ୱାରା ପରିକଳ୍ପିତ, SCOR ଦ୍ୱାରା ସହାୟତାପ୍ରାପ୍ତ ଓ ସିସିଡ଼ି ଦ୍ୱାରା କାର୍ଯ୍ୟାନ୍ବିତ “ଭିଜନ ଅନ୍ ହ୍ୱିଲ୍ସ” ପ୍ରକଳ୍ପ ଗଜପତି ଜିଲ୍ଲାର ସବୁଠୁ ଦୂରସ୍ଥ ଗ୍ରାମଗୁଡିକୁ ଆବଶ୍ୟକୀୟ ଚକ୍ଷୁ ସେବା ପହଞ୍ଚାଇବ। ବିଶେଷ ଭାବେ ପ୍ରସ୍ତୁତିତ ଏହି ଯାନରେ ଆଧୁନିକ ଚକ୍ଷୁ ପରୀକ୍ଷା ଯନ୍ତ୍ରପାତି ସହିତ ପ୍ରଶିକ୍ଷିତ ଡାକ୍ତର ଓ ଚକ୍ଷୁ ବିଶେଷଜ୍ଞ (Ophthalmologist) ଉପସ୍ଥିତ ରହିବେ । ପ୍ରକଳ୍ପରେ ଆବଶ୍ୟକୀୟ ରୋଗୀଙ୍କୁ ନିଶୁଳ୍କ ଔଷଧ, ଆଖିର ଡ୍ରପ୍ ଓ ଚଶ୍ମା ବଣ୍ଟନ କରାଯିବ । ଏହି ଯାନ ପ୍ରତିଦିନ ଗଜପତିର ଦୂରସ୍ଥ ଗ୍ରାମଗୁଡିକୁ ପହଞ୍ଚି 2026 ମାର୍ଚ୍ଚ ପର୍ଯ୍ୟନ୍ତ 36,000 ଲୋକଙ୍କୁ ଗୁଣସ୍ତରୀୟ ଚକ୍ଷୁ ସେବା ପ୍ରଦାନ କରିବାକୁ ଲକ୍ଷ୍ୟରେ କାର୍ଯ୍ୟ କରିବ । ଗ୍ରାମବାସୀଙ୍କ ଘରଦାରକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ, ଯେଉଁଠାରେ ହସ୍ପିଟାଲ ସୁବିଧା ସହଜରେ ଉପଲବ୍ଧ ନୁହେଁ, ସେଠାରେ ସ୍ୱାସ୍ଥ୍ୟ ସୁବିଧାର ଅଭାବକୁ ପୁରଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ।