ଦାରିଙ୍ଗବାଡି(ଆଶୋକ ସିଂ:) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିପିଏମ ସନ୍ତୁନୁ କୁମାର ସାହୁ, ପିଏଚଇଓ ସୁବ୍ରତ କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହି କୃମି ସଂକ୍ରମଣ ଓ କୃମି ନାଶକ ଉପରେ ବିସ୍ତୃତ ଆଲୋଚନା କରିଥିଲେ l ବିଶେଷ କରି ଛୋଟ ପିଲାମାନଙ୍କ ଠାରେ ଏହା ସଂକ୍ରମିତ ହେଉଥିବା ଦେଖା ଯାଇଛି l ଏଣୁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଯତ୍ନଶୀଳ ନ ହେଲେ ତାହା ସଂକ୍ରମିତ ହୋଇ ଅପପୃଷ୍ଟିର ଶିକାର ହେବା ସହ ଶାରିରୀକ, ମାନସିକ ଅଭିବୃଦ୍ଧିରେ ବାଧା ପ୍ରାପ୍ତ ହୁଏ । ଶିକ୍ଷକ ଭାବରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କର କିଭଳି ଯତ୍ନ ନେବା ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶିକ୍ଷକମାନେ ପ୍ରତ୍ୟେକ ଦିନ ପ୍ରାର୍ଥନା ପରେ ପିଲାମାନଙ୍କ ପରିଷ୍କାର ପରିଚ୍ଛନ୍ନ ନଖ କଟା ଉପରେ ଗୁରୁତ୍ବ ଦେବା ସହ ସେମାନଙ୍କୁ ଦିଆ ଯାଉଥିବା ଖାଦ୍ୟ, ପାନୀୟ ଜଳ ଓ ବିଦ୍ୟାଳୟ ପରିବେଶ ଉପରେ କିଭଳି ଯତ୍ନଶୀଳ ହେବେ ସେନେଇ ତାଲିମ ପ୍ରଦାନ କରାଯାଇଥିଲା । କୃମି ହେଲେ ପିଲାଙ୍କ ଦେହରେ କଣ ସବୁ ଲକ୍ଷଣ ଦେଖାଯାଏ ଓ ସେଥିପାଇଁ ସରକାରଙ୍କ ତରଫରୁ ଦିଆଯାଉ ଥିବା ଔଷଧର ବ୍ୟବହାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ ଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତରେ ଥିବା ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିମାନେ ଯୋଗ ଦେଇଥିବା ବେଳେ ଆସନ୍ତା ୧୨ତାରିଖ ଠାରୁ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।