କୋଟଗଡ଼ ଜୀବିକା ମିଶନର ଅର୍ଥ ହଡ଼ପର ତଦନ୍ତ କଲେ ଡିପିଏମ….

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ମାର୍ଲାଙ୍ଗା ଗ୍ରାମପଂଚାୟତର ଓଡିଶା ଜୀବିକା ମିଶନ ଏମବିକେ ପ୍ରିୟଙ୍କା ଦିଗାଲଙ୍କ ନାମରେ  ଅର୍ଥ ଆତ୍ମସାତ ନେଇ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ୨୮ଜଣ ମହିଳା ସ୍ୱୟଂ ସହାୟିକା l ଘଟଣାର ଖବର ପ୍ରସାରଣ ପରେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ହେମନ୍ତ ବାଗ ମଙ୍ଗଳବାର ପୂର୍ବାହ୍ନରେ କୋଟଗଡ ବ୍ଲକରେ ପହଁଚି  ତଦନ୍ତ କରିଛନ୍ତି । ଏଥିରେ ୧୫ଟି ପଂଚାୟତର ଜଣେ ଏମବିକେ ବ୍ୟତୀତ ୧୪ ଜଣ ଏମବିକେ ଓ ୨ଜଣ ବ୍ୟାଙ୍କମିତ୍ର, ସିଆରପି, ଉପସ୍ଥିତ ରହିଥିଲେ । ମଙ୍ଗଳବାର ଏନେଇ ଏକ  ଜିପିଏଲଏଫ ପାଣ୍ଠିର ବିନିଯୋଗ ଏବଂ ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ତାପରେ ମାର୍ଲାଙ୍ଗାର ୮ଟି କ୍ଲଷ୍ଟରର ସିଆରପି,  କୃଷିମିତ୍ର, ପ୍ରାଣୀ ମିତ୍ର, ଇସି ମେମ୍ବରମାନଙ୍କ ୨୦୨୩ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସିଆଇଏଫ ପାଣ୍ଠିର ହେରଫେର ନେଇ ସଭାନେତ୍ରୀ ସମିତା ମଲିକ ଓ ସମ୍ପାଦିକା ମିନତୀ ପ୍ରଧାନଙ୍କ ଠାରୁ ପଚାରି ବୁଝିଥିଲେ l ତେବେ ଜିପିଏଲଏଫ ପାଣ୍ଠି ପ୍ରକୃତରେ କେତେ ? କିପରି ସମ୍ପୃକ୍ତ ଏମବିକେ ପ୍ରିୟଙ୍କା ଦିଗାଲଙ୍କ ବ୍ୟକ୍ତିଗତ ଖାତାକୁ ଗଲା ଓ ତାକୁ କିଭଳି ବିନିଯୋଗ କରାଯାଇଛି ? ତାକୁ ଏକ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଶ୍ରୀ ବାଗ କହିଛନ୍ତି l ଅନ୍ୟପଟେ ସମ୍ପୃକ୍ତ ଏମବିକେ ଗଂଜେଇ କେସରେ କ.ନୂଆଗାଁ ଥାନାରୁ ଗିରଫ ହୋଇ ଜେଲରେ ଥିବାରୁ ତଦନ୍ତର ଅଗ୍ରଗତି ନେଇ ସନ୍ଦେହ ଉପୁଜିଛି l