ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ପଞ୍ଚାୟତ ସମିତିର ସ୍ଵତନ୍ତ୍ର ସମିତି ବୈଠକ ସମିତି ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ସଭାପତିତ୍ବରେ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ଓ ଟୁକୁନା ଗୌଡ଼ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭାରପ୍ରାପ୍ତ ବିଡିଓ ସୁଶିଲ ପଟ୍ଟନାୟକ 2025/2026 ବର୍ଷ ପାଇଁ ଧରାକୋଟ ବ୍ଲକରେ କାର୍ଯ୍ୟକାରି ହେବାକୁ ଥିବା ବିକଶିତ ଗାଁ ଓ ବିକଶିତ ଓଡ଼ିଶା ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତରେ ଏହି ଯୋଜନାରେ ପାଞ୍ଚ କୋଟି ତିନି ଲକ୍ଷ ଅଣଚାଶ ହଜାର ନଅ ଶହ ଚଉତିରିସ ଟଙ୍କା ବ୍ୟୟ କରାଯିବ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାସ୍ତା, କଲ୍ଭଭଟ, କଲ୍ୟାଣ ମଣ୍ଡପ, ବ୍ରିଜ ଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ଭିତ୍ତି ଭୂମିର ବିକାଶ କରାଯିବ । ଯାହା ଫଳରେ ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ । ସମୁଦାୟ ଅନୁଦାନ ମଧ୍ୟରୁ ବିଧାୟକ 40 ପ୍ରତିଶତ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ସ୍ଥିର ହୋଇ ଥିବା ବେଳେ ସମିତି ପକ୍ଷରୁ 60 ପ୍ରତିଶତ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ସ୍ଥିର କରାଯାଇଥିଲା । ଏହି ଅବସରରେ ଧରାକୋଟରେ ଏକ ବୃହତ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବୈଠକରେ ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପାଣିଗ୍ରାହୀ, ଭାରପ୍ରାପ୍ତ ଜିପିଇଓ ଦେବରାଜ ନାୟକଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।