ଧରାକୋଟ ବହୁଡ଼ା ଯାତ୍ରାରେ ବଡ଼ଦାଣ୍ଡ ଲୋକାରଣ୍ୟ, ଆକର୍ଷଣର କେନ୍ଦ୍ର ବିନ୍ଦୁ ମହିଳା ରାଜା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଓଡ଼ିଶା ସମେତ ଦେଶ, ବିଦେଶ ଠାରୁ ଆରମ୍ଭ କରି ସବୁଠି ବାହୁଡା଼ ତିଥିରେ ରଥଟଣା ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡ଼ରେ ଏକ ନିଆରା ଢଙ୍ଗରେ ପରମ୍ପରା ପାଳନ ଅନୁଯାୟୀ ଏକାଦଶୀ ତିଥିରେ ରଥଟଣା ହୋଇଛି  । ଶନିବାର  ବାହୁଡା଼ ଦିନ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ରୀତି ନୀତି ପରମ୍ପରା ଅନୁଯାୟୀ ସମ୍ପନ୍ନ ପରେ ଅପରାହ୍ନ ଚାରିଟାରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଏହି ଅବସରରେ ଗୁଣ୍ଡିଚା ବାଡି ମଠ ତରଫରୁ ତିନି ଠାକୁରଙ୍କୁ ଅଧର ପଣା ଅର୍ପଣ କରାଯାଇଥିଲା । ରବିବାର  ପ୍ରାତଃ କାଳରେ ମଙ୍ଗଳ ଆଳତି, ବିଭୂତି ଭୋଗ, ମଙ୍ଗଳା ଅର୍ପଣ କରାଯାଇଥିଲା । ଅପରାହ୍ନରେ ରାଜା ସୁଲକ୍ଷଣା ଗୀତାଞ୍ଜଳି ନିଜର ସେନାପତି, ପାତ୍ର, ମନ୍ତ୍ରୀ, କଟୁଆଳ ଏବଂ ଅନୁଗତ ମାନଙ୍କ ସହ ରୂପା ପାଲିଙ୍କିରେ ବସି ବାଦ୍ୟ ବାଜଣା ସହିତ ପଟୁଆରରେ ଆସି ରଥ ଉପରେ ପହଞ୍ଚି ତିନି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ଅପରାହ୍ନରେ  ଠାକୁରଙ୍କ ରଥ ଯାତ୍ରା ଆରମ୍ଭ  ହୋଇଥିଲା ।  ତିନି ଠାକୁରଙ୍କ ସହ ରାଜାଙ୍କୁ ଦେଖିବା ପାଇଁ ଧରାକୋଟ ଏବଂ ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବଡ଼ଦାଣ୍ଡରେ ଭିଡ ଜମାଇଥିଲେ । ଡାହୁକର ଗୀତର ତାଳେ ତାଳେ ରଥ ଆସି ସନ୍ଧ୍ୟାରେ ମଝି ଦାଣ୍ଡରେ ଅଟକି ଥିଲା । ରାଜା ସୁଲକ୍ଷଣା ଗୀତାଞ୍ଜଳି ଠାକୁରମାନଙ୍କୁ ସନ୍ଧ୍ୟା ଆଳତି ରଥ ଉପରେ ପ୍ରଦାନ କରିଥିଲେ । ଏହା ପରେ ବଡ଼ପଣ୍ଡା ତ୍ରିନାଥ ପଣ୍ଡା ଠାକୁରମାନଙ୍କୁ ରାତ୍ରୀ ଭୋଗ ଅର୍ପଣ କରିଥିଲେ । ଶେଷରେ ଠାକୁରମାନେ ବଡ଼ ସିଂହାର ପରେ ପହଡ଼ ଯାଇଥିଲେ । ପରମ୍ପରା ଅନୁଯାୟୀ ପୁରୀର ଗୋଟିଏ ଦିନ ପରେ ଧରାକୋଟରେ ଗୁଣ୍ଡିଚା ଓ ବାହୁଡା ଯାତ୍ରା ପାଳନ କରାଯାଉଛି  । ଅନ୍ୟ ପକ୍ଷରେ ଦେଶ ବିଦେଶ, ରାଜ୍ୟ ସହ କୋଣ ଅନୁକୋଣ ଠାରୁ ପୁରପଲିରେ ପୁରୁଷ ରାଜା, ସେମାନଙ୍କ ଦାୟାଦ ଓ ପ୍ରମୁଖ ବ୍ୟକ୍ତିମାନେ ଠାକୁରମାନଙ୍କ ସେବକ ଭାବରେ ରଥ ଉପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଯାଜପୁର ଜିଲ୍ଲାର ମଧୁପୁର ଗଡ, ପାରଳାଖେମୁଣ୍ଡୀ ଓ ଧରାକୋଟରେ ମହିଳାମାନେ ଠାକୁରଙ୍କ ସେବକ ଭାବରେ ରଥ ଯାତ୍ରା କରିଆସୁଛନ୍ତି । ଯାହାକି ଏକ ବିରଳ ବ୍ୟତିକ୍ରମ ।