ଆଡମ୍ବର ସହକାରେ ଘୋଷ ଯାତ୍ରା ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଆଜି ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିଲା । ପାଗ ଅନୁକୂଳ ରହିଥିବା ବେଳେ ମଝିରେ ମଝିରେ ସାମାନ୍ୟ ବର୍ଷା ହେବା ସତ୍ତ୍ବେ ଚଳିତ ବର୍ଷ ବେଶ ଉତ୍ସାହର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଛି । ଶତାଧିକ ବର୍ଷରୁ ଉର୍ଦ୍ଦ ସମୟ ଧରି ରଥଯାତ୍ରା ହୋଇ ଆସୁଥିବା ଭଞ୍ଜ ଗଡ କୁଲାଡ ଠାରେ ମଧ୍ୟ ଚଳିତ ବର୍ଷ ରଥ ଯାତ୍ରା ବହୁ ଆଡମ୍ବର ସହକାରେ ପାଳନ ହୋଇଛି । ଭୋର ସମୟରୁ ହିଁ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା । ପୂଜକ, ପ୍ରଶାସନିକ ଅଧିକାରୀ, ପୁଲିସ୍ ତଥା ଭଞ୍ଜ ବଂଶ ଦାୟଦ ପ୍ରଶାନ୍ତ ଭଞ୍ଜଦେଓଙ୍କ ଉପସ୍ଥିତିରେ ରୀତିନୀତି ସମ୍ପନ୍ନ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ନଗରପାଳ ଗୋପବନ୍ଧୁ ମହାପାତ୍ର, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ବିଡିଓ ଭାରତୀ ଦେବୀ, ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଏସ୍ପିଓ ସୁଜିତ କୁମାର ନାୟକ ଉପସ୍ଥିତ ରହିଥିଲେ । ଗତକାଲି ନବ ଯୌବନ ଦର୍ଶନ ହେବା ପରେ ଆଜି ଗୁଣ୍ଡିଚା ଯାତ୍ରା କୁଲାଡରେ ପାରମ୍ପରିକ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ପରେ ରଥଟଣା ନୀତି ଆରମ୍ଭ ହୋଇଥିଲା । କୁଲାଡ ବଡଦାଣ୍ଡ ଏକ ପ୍ରକାର ଜନସମୁଦ୍ର ପାଲଟିଥିଲା । ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ବେଳେ ବିଳମ୍ବରେ ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇଥିବା ବେଳେ ବହୁ ସ୍ବେଚ୍ଛାସେବୀ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ପୁଲିସ୍ କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ସେହିପରି ଭଞ୍ଜନଗର ଅଞ୍ଚଳର ବଡକୋଦଣ୍ଡା, ଗାଲେରୀ, ଡୁମାକୁମ୍ପା, ଲେମ୍ଭାଇ ଠାରେ ମଧ୍ୟ ଚଳିତ ବର୍ଷ ରଥଯାତ୍ରା ଧୂମଧାମରେ  ପାଳିତ ହୋଇଥିବା ଜଣାପଡିଛି । ଭଞ୍ଜନଗର ସହରରେ ଥିବା ଜଗନ୍ନାଥ ମନ୍ଦିର ପକ୍ଷରୁ ସଦୃଶ ଏକ ନୂତନ ରଥ ନିର୍ମାଣ କରି ବିରାଟ ପଟୁଆରରେ ରଥଯାତ୍ରା ପାଳନ କରାଯାଇଥିଲା । ଭେଜିପୁଟ ଠାରେ ମଧ୍ୟ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳନ କରାଯାଇଥିଲା । ସକାଳୁ ଅବକାଶ ଓ ପାହାନ୍ତି ନୀତି ସମାପନ ପରେ ଜଗନ୍ନାଥଙ୍କୁ ପହଣ୍ଡି କରି ନିର୍ମାଣ କରାଯାଇ ରଥକୁ ଚତୁର୍ଦ୍ଧା ମୂରତିଙ୍କୁ ଅଣାଯାଇଥିଲା । ଏଥିସହ ଜିଲୁଣ୍ଡି ଓ ବଡକୋଦାଣ୍ଡା ଗ୍ରାମରେ ମଧ୍ୟ ରଥଯାତ୍ରା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ସେହିପରି ଗାଲେରୀ ଠାରେ ମଧ୍ୟ ଦଧୀବାମନ ସ୍ବାମୀଙ୍କ ରଥଯାତ୍ରା ପାରମ୍ପରିକ ରିତୀନୀତିରେ ପାଳିତ ହୋଇଥିବା ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛନ୍ତି ।