ଦାରିଙ୍ଗବାଡି(ଆଶୋକ ସିଂ): ସାରା ରାଜ୍ୟ ଆଜି ପ୍ରଭୂ ଶ୍ରୀ ଜଗନ୍ନାଥ ପାଇଁ ଚଳ ଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି l ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମି ଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କାଟିଙ୍ଗିଆ ଓ ଗଦାପୁର ଠାରେ ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯାଇଛି । ଶୁକ୍ରବାର ଦିନ ଭୋର ସକାଳ ସମୟରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା । ଅପରାହ୍ନରେ ରଥ ପ୍ରତିଷ୍ଠା କରାଯିବା ସହ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା । ପରେ ଗଦାପୁରର ରାଜା ସାହେବଙ୍କ ବଂଶଜ କ୍ଷୀରୋଦ କୁମାର ଦେଓ ପାରମ୍ପରିକ ଛେରା ପହଁରା କରିବା ସହ ରଥରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ ଶ୍ରଦ୍ଧାଳୁମାନେ ରଥ ଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ପରି କାଟିଙ୍ଗିଆରେ ମଧ୍ୟ ରଥ ଯାତ୍ରା ପାଳନ କରାଯାଇଛି l ଏହା ପ୍ରାୟ ୧୮୦୦ଖ୍ରୀଷ୍ଟାବ୍ଦରୁ ମହାରାଜ ହରିହର ସିଂହ ଙ୍କ ଅମଳରୁ ଅଦ୍ୟାବଧି ପାଳନ କରାଯାଉ ଥିବା ନେଇ ଗ୍ରାମ ବାସୀମାନେ କହିଛିନ୍ତି । ଏହି ଯାତ୍ରାରେ କନ୍ଧମାଳ ସମେତ ପଡୋଶୀ ଜିଲ୍ଳା ରାୟଗଡା, ଗଜପତି ଓ ଗଞ୍ଜାମ ଜିଲାରୁ ରଥଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଥିବା ଜଣା ପଡ଼ିଛି । ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।