କୁନ୍ଦୁରା(ନିରଞ୍ଜନ ପାଣି): କୋରାପୁଟ ଜିଲ୍ଲାରେ ରବି ମଣ୍ଡି ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛି କୃଷକ କଲ୍ୟାଣ ମଞ୍ଚ l ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ ଆଗାମୀ ଦିନରେ ଚାଷିଙ୍କ ମହଲରେ ବଡ଼ ଧରଣର ଅସନ୍ତୋଷ ଦେଖାଦେବ ବୋଲି କହିଛନ୍ତି l ଅଭିଯୋଗ ମୁତାବକ ଜିଲ୍ଲାରେ ଆଜି ସୁଦ୍ଧା ୯୨୭୩ ଚାଷୀଙ୍କ ଠାରୁ ୮,୪୮,୭୦୭,୧୦ କୁଇଣ୍ଟାଲ ଧାନ କିଣା ଯାଇଛି l ଯାହାକି ଜିଲ୍ଲାର ସମୁଦାୟ ଟାର୍ଗେଟର ୯୦ ପ୍ରତିଶତ କିଣା ସାରିଥିବା ତଥ୍ୟ ” ତଥ୍ ଫୁଡ୍ ଓଡ଼ିଶା” ପୋର୍ଟାଲରେ ଉପଲବ୍ଧ ରହିଛି l ତେବେ ୧୭୩୦୭ ଜଣ ଚାଷୀ ପଂଜିକରଣ କରିଛନ୍ତି l ସେଥିରୁ ସାତ ହଜାର ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି l କେଉଁଭଳି ଭାବେ ୯୦ ପ୍ରତିଶତରୁ ଅଧିକ ଧାନ କିଣାଯାଇଥିବା ଏଥିରେ ଦର୍ଶାଯାଇଛି ଏହା ଭ୍ରମାତ୍ମକ ଓ ମିଥ୍ୟା ଅଟେ l ଏହା ଚାଷୀଙ୍କୁ ସନ୍ଦେହରେ ପକାଇଛି l ଆସନ୍ତା ୩୦ ତାରିଖ ମଣ୍ଡିର ଶେଷ ତାରିଖ l ମାତ୍ର ଚାରି ଦିନ ମଧ୍ୟରେ ସାତ ହଜାର ଚାଷୀଙ୍କ ଧାନ କିପରି କିଣାଯିବ ତାହା ପ୍ରଶ୍ନବାଚୀ l ଡି ଏଲ୍ ପି ସି ବୈଠକର ନିଷ୍ପତ୍ତି ଅନୁସାରେ ଜୁନ ୫ ତାରିଖରୁ ମଣ୍ଡି ଆରମ୍ଭ ହେଲା l କିନ୍ତୁ ପାଞ୍ଚ ଦିନ ବିଳମ୍ବରେ ଅର୍ଥାତ ୧୦ ତାରିଖ ଠାରୁ ଧାନ ଉଠିଲା l କିଛି ଚାଷୀଙ୍କ ଗତ ୨ ତାରିଖ ଟୋକନର ଧାନ କିଣାଯାଇନାହିଁ I ମାସ୍ ଅଭାବରୁ ସପ୍ତାହେ ହେଲା ଗାଡ଼ି ଗୁଡ଼ିକ ଠିଆ ହୋଇ ରହିଛି l ଏଥିସହ ମିଲର୍ସଙ୍କ ଏଗ୍ରିଗେଟ୍, ମନମାନି, କଟନୀ ଛଟନୀ, ଗାଡ଼ି ଓ ଶ୍ରମିକ ଅଭାବ, ମାସ ଓ ସାସ ଅଭାବ ଯୋଗୁଁ ଅଧିକାଂଶ ଦିନ ଧାନ କିଣା ଯାଇ ନାହିଁ l ଏ ସବୁ ସମସ୍ୟା ସାଙ୍ଗକୁ ଲାଗିରହିଥିବା କ୍ରମାଗତ ବର୍ଷା ଚାଷୀଙ୍କୁ ଆତଙ୍କିତ କରୁଛି l କିଛି ମଣ୍ଡିରେ ଦଲାଲ ଓ ମିଲର୍ସଙ୍କ ପ୍ରତିନିଧି ୭୦ ପ୍ରତିଶତ ଧାନ ଓ ୩୦ ପ୍ରତିଶତ କାଗଜ ନ ଦେଲେ ଧାନ ଉଠାଉ ନାହାନ୍ତି l ମିଲର୍ସ ଗାଡ଼ି ପଠାଉ ନାହାନ୍ତି l ଚାଷୀ ନିଜେ ଟ୍ରକ୍ ୟୁନିଅନରୁ ପାଞ୍ଚରୁ ଦଶ ହଜାର ଦେଇ ଟ୍ରକ୍ ଆଣୁଛନ୍ତି l ପର୍ଚି କାଟିବାକୁ ହଜାର ଟଙ୍କା ଓ ହେଣ୍ଡେଲିଂ ଚାର୍ଜ, ଖାଲି ଅଖା, ମାମୁଲି ଦେବା ସହିତ କୁଇଣ୍ଟାଲ ପ୍ରତି ପାଞ୍ଚରୁ ଦଶ କିଲୋ ଧାନ ଅଧିକ ଦେବାକୁ ପଡୁଛି l ଯେଉଁ ସାତ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରି ନାହାନ୍ତି ସେମାନେ ହେଲେ ନାମ ମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀ ଅଛନ୍ତି l ୩୦ ତାରିଖ ସୁଦ୍ଧା ଧାନ ବିକ୍ରି ନ କଲେ ଖୋଲା ବଜାରରେ ୧୫୦୦ ରୁ ୧୮୦୦ ଟଙ୍କାରେ ବିକି ଅଭାବୀ ବିକ୍ରିର ଶିକାର ହେବେ l ଖରିଫ୍ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି ତେଣୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଧାନ କିଣା ଶେଷ କରିବା ସହ ଗତ ଖରିଫ୍ ମଣ୍ଡିର ଖାଲି ବସ୍ତା ଓ ହେଣ୍ଡଲିଂ ଚାର୍ଜ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି ଚାଷୀ l ଜୟପୁର ଟ୍ରକ୍ ୟୁନିଅନ ଓ ବାହାର ଜିଲ୍ଲାରୁ ଆସୁଥିବା ଟ୍ରକ ଗୁଡ଼ିକ ପାଞ୍ଚରୁ ଏଗାର ହଜାର ଟଙ୍କା ନେଉଛନ୍ତି l ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବା ପାଇଁ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ଏହି ଅଭିଯୋଗ ପତ୍ର ଏସ୍ ପି କୋରାପୁଟ, ଉପ ଜିଲାପାଳ ଜୟପୁର, ଜିଲ୍ଲା ଖାଦ୍ୟ ଓ ଯୋଗାଣ ଅଧିକାରୀ, ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି କୋରାପୁଟ, ଆର୍ ଏମ୍ ସି ସମ୍ପାଦକ, ଲୋରି ଆସୋସିଏସନ ସଭାପତି ଏବଂ ମିଲ୍ ମାଲିକ ସଂଘ ବଲାଙ୍ଗୀରଙ୍କୁ ଗତକାଲି ୨୫ ତାରିଖ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ଚାଷୀ ନେତା କୃଷକ କଲ୍ୟାଣ ମଞ୍ଚ ଜିଲ୍ଲା ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ l