ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ  ଶ୍ରୀ ଶଙ୍କର କେରକେଟା ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମେତ ଛେଲାଗଡ, ମହେନ୍ଦ୍ରଗଡ ଓ ଛେଳିଗଡ଼ ପଞ୍ଚାୟତର  ସମୁଦାୟ ମୋଟ- ୫୩ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଗୋଷ୍ଠୀ ସମସ୍ୟା ୪୬ଟି, ବ୍ୟକ୍ତିଗତ ୭ଟି ରହିଥିଲା l ଯାହା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଅଭିଯୋଗ ଶୁଣାଣିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜଣକୁ ହ୍ୱିଲଚେୟାର ବଣ୍ଟନ କରାଯାଇଥିଲା । ହେଲେ ଶିବିରକୁ ଆସିଥିବା ମହିଳା ଗୋଷ୍ଠୀ ମହିଳା, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ବସିବା ପାଇଁ ଚେୟାର କିମ୍ବା ଦରିର କୌଣସି  ବ୍ୟବସ୍ଥା ହୋଇ ନଥିଲା । ଏବିଷୟରେ କିଛି ଅଧିକାରୀଙ୍କୁ ପଚାରିବାରୁ ଏପରି ଜନ ଶୁଣାଣୀ ଲାଗି ସରକାରୀ ସହାୟତା ମିଳେନାହିଁ l ଯଦିଚ ମିଳେ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି। ତେଣୁ ଏଭଳି ସମସ୍ୟାକୁ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବୀ ହେଉଛି l ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ, ଆର.ଉଦୟଗିରି  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରୀମନ ଖର୍ସେଲ, ତହସିଲଦାର ତ୍ରିନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରଖ ଆଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସୋନ୍ତୋଷ କୁମାର ନାୟକ ଓ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ  ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ ।