ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଏକ ସଚେତନା ରାଲି କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ଗଦାପୁର ସେକ୍ସନ୍ ଅତିରିକ୍ତ ବନପାଳ ସନ୍ତୋଷ ପଟ୍ଟନାୟକ, କାଟିଙ୍ଗିଆ ସେକ୍ସନ ଅତିରିକ୍ତ ବନପାଳ ଆଶିଷ କୁମାର ପ୍ରଧାନ, ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ , ଝିଞିରିଗୁଡା ବିଟର ବନରକ୍ଷୀ ମାର୍କ ମଲ୍ଲିକ, ବନରକ୍ଷୀ ଶ୍ରୀରାମ ପଣ୍ଡା, ସରୋଜ ପାତ୍ର, ଇନ୍ଦ୍ରମଣି ଦିଗାଲଙ୍କ ସମେତ ସମସ୍ତ ବନ କର୍ମଚାରୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳାମାନେ ବନ ବିଭଗ କାର୍ଯ୍ୟାଳୟରୁ ଏକ ସଚେତନ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଶିବମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ଥିଲେ । ଏହି ଶୋଭାଯାତ୍ରା ସମୟରେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ମା ପାଇଁ ଗଛ ଟିଏ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ବୃକ୍ଷ ରୋପଣ କରିବା ଆଦି ନାରା ଦେଇ ସଚେତନା ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ । ପରିବେଶ କୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ହେଲେ ଜଙ୍ଗଲର ସୁରକ୍ଷା ନିତାନ୍ତ ଆବଶ୍ୟକ l ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରି ଉତ୍ତମ ସୁସ୍ଥ ପରିବେଶ ଗଠନରେ ସହାୟକ ହେବାକୁ ବନା ଞ୍ଚଳ ଅଧିକାରୀ ଶ୍ରୀ ବେହେରା ଆହ୍ଵାନ କରିଛନ୍ତି । ଏହା ପରେ ଝିଞ୍ଜିରିଗୁଡ଼ା ପଞ୍ଚାୟତର ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବନାଞ୍ଚଳର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।