କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ, ମହାପ୍ରୟାଣ ଗାଡି ନ ମିଳିବାରୁ କାନ୍ଧରେ ବୋହିଲେ ମୃତଦେହ….
ଦାରିଙ୍ଗବାଡି( ଆଶୋକ ସିଂ): ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରି ପାଦେରୀ ଗ୍ରାମର ମୃତକଙ୍କ ପରିବାର । ମୃତ ଗର୍ଭବତୀ ମହିଳା ଜଣଙ୍କ ହେଲେ କାଜୁରି ପାଦେରୀ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁନିମା ପ୍ରଧାନ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ସକାଳ ସାଢେ ୫ ଟାରେ ସୁନିମାଙ୍କ ପେଟ ସହ ଆଖି ବ୍ୟଥା ହେବାରୁ ସ୍ବାମୀ ସୁରେନ୍ଦ୍ର ପ୍ରଧାନ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲର ଜଣେ ଡାକ୍ତର କିଛି ନପଚାରି ଗୋଟିଏ ସାଲାଇନ ସହ ୨ ଟି ଇଞ୍ଜେକ୍ସନ ଗର୍ଭବତୀ ମହିଳାଙ୍କୁ ଦେବା ପରେ ପେଟକୁ ୨ ଥର ଜୋରରେ ଚାପି ଦେଇଥିଲେ । ୩ ଥର ବେଳେ ଗର୍ଭବତୀ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ମୃତ୍ୟୁ ପରେ ବି ପୁଣି ଗୋଟିଏ ଇଞ୍ଜେକସନ ଦେଇଥିଲେ ଡାକ୍ତର । ମୃତ୍ୟୁ ହେବା ପରେ ବି କିଭଳି ଇଞ୍ଜେକସନ ଦିଆ ଯାଇଛି ବୋଲି ସ୍ବାମୀ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ମହିଳାଙ୍କ ପୂର୍ବ ମେଡ଼ିକାଲ ରିପୋର୍ଟ ମାଗିଥିଲେ ଡାକ୍ତର । ଉକ୍ତ ରିପୋର୍ଟରୁ ମହିଳା ଜଣଙ୍କ ୬ ମାସର ଗର୍ଭବତୀ ଥୁବା ଡାକ୍ତର ଜାଣି ପାରିଥିଲେ । କିନ୍ତୁ ଚିକିତ୍ସା ପୂର୍ବରୁ କୌଣସି ବିଷୟ ନପଚାରି ସାଲାଇନ ଓ ଇଞ୍ଜେକସନ ଦେବା ସହ ପେଟ ଉପରେ ଜୋର୍ ସେ ଚାପି ଦେଇଥିଲେ । ଫଳରେ ସୁନିମା ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ସ୍ବାମୀ ସୁରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।
<span;>ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ମଙ୍ଗଳବାର ସୁନିମାଙ୍କ ଜୀବନ ଚାଲି ଯାଇଥିବା ସ୍ବାମୀ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରାଯାଇ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତକଙ୍କ ପରିବାର ସହ ଅଞ୍ଚଳବାସୀ ଦାବି କରୁ ଥିବା ବେଳେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ୟବଛେଦ ପରେ ସ୍ପଷ୍ଟ ହେବ ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇ ଥିଲା l ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ଥାନାକୁ ଜଣାଯାଇଥିଲା । ତେବେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ରିପୋର୍ଟ ପ୍ରସ୍ତୁତି ଆଦିରେ ବିଳମ୍ବ ଯୋଗୁ ମୃତକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରି ଏତେ ସମୟ ହେଲା କୌଣସି ବ୍ୟବଛେଦ କରାଯାଇପାରୁ ନାହିଁ l ଏଣୁ ଆମେ ଆଉ ବ୍ୟବଛେଦ କରାଇବୁ ନାହିଁ କହି ମୃତଦେହକୁ କାନ୍ଧରେ ଧରି ଚାଲି ଚାଲି ନିଜ ଘରକୁ ନେଇଯାଇଥିଲେ ମୃତ ମହିଳାଙ୍କ ପରିବାର । ତେବେ ଘଟଣାସ୍ଥଳରେ ଆଇଆଇସି କନକ ମାଝୀ, ସବଇନ୍ସପେକ୍ଟର ଲଷ୍ମୀ ମାଝୀ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସ୍ୱାସ୍ଥ୍ୟ ସେବାର ଏହି ବିକଳ ଚିତ୍ର ଯୋଗୁଁ ଦାରିଙ୍ଗବାଡି ଅଂଚଳରେ ଅଶାନ୍ତିର ବାତାବରଣ ଦେଖା ଯିବା ସହ ଘଟଣାର ପୁଙ୍ଖାନୁପୁଙ୍କ ଭାବେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଅଂଚଳ ବାସୀ l