ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ୬ ଆହତ ୩ ଗୁରୁତର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମେରାମହା ନିକଟସ୍ଥ ଆମ୍ବ ତୋଟା ବୁଲାଣିରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକର ୬ ଜଣ ଆରୋହୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା ଅବସ୍ଥା ଗୁରୁତର ଥିବାରୁ ୩ଜଣଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରଯାଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳ ହାତୀ ମୁଣ୍ଡା ପଞ୍ଚାୟତର ଅଲା ପିଲୁ ଗ୍ରାମର ରହିମ ବଳିଆର ସିଂ (୨୪), ମେରିସା ପରିଚ୍ଛା (୨୧), ଦୁଇ ବର୍ଷର ଶିଶୁ ଆୟୁଷ ବଳିଆର ସିଂଙ୍କୁ ଧରି ପାଣି ଗଣ୍ଡା ମେଡ଼ିକାଲକୁ ଯାଇ ଫେରୁଥିବା ବେଳେ ଅପର ପକ୍ଷରୁ କିଲିମେରା ଗ୍ରାମର କୁଳକାନ୍ତ ମଲ୍ଲିକ(୨୫), ବାଲିଗୁଡ଼ାର ଆଶ୍ୱିନ ମଲ୍ଲିକ(୨୫) ଓ ତାରାମାହା ଗ୍ରାମର ଇଶାକ ମଲ୍ଲିକ(୪୦) ଅନ୍ୟ ଏକ ବାଇକ୍ରେ ମାଣ୍ଡିପଙ୍କା ଗ୍ରାମର ଏକ ଭୋଜି କାର୍ଯ୍ୟ ସାରି ନିଜ ଗ୍ରାମକୁ ଫେରୁ ଥିବା ବେଳେ ମେରାମାହା ଆମ୍ବ ତୋଟା ନିକଟ ବୁଲାଣିରେ ପରସ୍ପର ଧକ୍କା ହେବାରୁ ଉଭୟ ବାଇକର ୬ ଜଣ ଆହତ ହୋଇଥିଲେ । ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତିନିଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ ।