ଧରାକୋଟରେ ପାରମ୍ପରିକ ରୀତିନୀତିରେ ଚାଲିଛି ଶୀତଳ ଷଷ୍ଠୀ ଯାତ୍ରା…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ପାରମ୍ପରିକ ରୀତି ନୀତିରେ ମହା ଆଡମ୍ବର ସହକାରେ ଧରାକୋଟ ଗଡ ଓ ନବ ଶାସନ, ପଞ୍ଚସିଂହ ପୁର ଶାସନରେ  ଶୀତଳ ଷଷ୍ଠୀ ଯାତ୍ରା ପାଳନ ହେଉଛି । ଶନିବାର ବଡଦାଣ୍ଡ ସାହିରୁ ବାଜା ବଜଣା ସହ ପଟୁଆରରେ ମା ପାର୍ବତୀ ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ଦେବ ନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ମଙ୍ଗଳା ରୋପଣ, ହୋମ, ବାଟ ବରଣ, ପାଣି ଗ୍ରହଣ, ବନ୍ଦାଣ କାର୍ଯ୍ୟକ୍ରମ ହୋଇଥିଲା । କନ୍ୟା ପିତା ଭାବରେ ଶ୍ୟାମ ସୁନ୍ଦର ତ୍ରିପାଠୀ କନ୍ୟା ଦାନ କରିଥିବା ବେଳେ ବରପିତା ଭାବରେ ହରି ହର ପଣ୍ଡା ଉପସ୍ଥିତ ଥିଲେ । ଦେବ ପୁରୋହିତ କାଳୀ ପ୍ରସାଦ ରଥ ଦେବ ନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଅବସରରେ ଗାଁ ଲୋକଙ୍କ ପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ସ୍ଵପ୍ନେଶ୍ୱର ମନ୍ଦିରରେ କରଯାଇଥିଲା । ରବିବାର ଠାକୁରମାନଙ୍କ ନଗର ପରିକ୍ରମା ବା ଦ୍ୱାରପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ବଡ଼ଦାଣ୍ଡ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ପ୍ରଭୁ ସ୍ୱପ୍ନେଶ୍ୱର, ମହା ଲିଙ୍ଗେଶ୍ୱର ଓ ବିଶ୍ୱେଶ୍ୱରଙ୍କ ସହ ମା ପାର୍ବତୀ ବିରାଜମାନ କରିବେ । ଏହି ଅବସରରେ ସୋମବାର ଦିନ ପୌରାଣିକ  ନାଟକ ରାମାୟଣ ସୁନା ପୁଅ ପାଇଁ କନ୍ଦେ ଅଯୋଧ୍ୟା ଓ ବୁଧବାର ଦିନ ସାମାଜିକ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯୋଗ୍ୟ ଧରାକୋଟ ଅଞ୍ଚଳରେ ଶୀତଳ ଷଷ୍ଠୀ ଯାତ୍ରା ବହୁ ପୂର୍ବରୁ ବେଶ ଆଡମ୍ବରର ସହ ପାଳନ ହୋଇଆସୁଅଛି । ସମସ୍ତ କାର୍ଯ୍ୟକ୍ରମରେ ଧରାକୋଟ ଗ୍ରାମବାସୀ ସହଯୋଗ ପ୍ରଦାନ କରୁଛନ୍ତି ।