ବିଧାନସଭା ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଗସ୍ତ, ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା….

ଭଞ୍ଜନଗର(ନିଲୁ ବିଷୋୟୀ ): ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି(ନବମ)ର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଦୁଇ ଦିନିଆ ଜିଲ୍ଲା ଗସ୍ତ ଆସିଥିବା ଏହି ଟିମ୍  ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ବରେ ବିଧାୟକ ମାନେ ଶୁକ୍ରବାର ମଧ୍ୟାହ୍ନରେ ଭୂବନେଶ୍ବରରୁ ଆସି ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଳକ ଅଧିନ ଗାୟଗଣ୍ଡା ଠାରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପର ଟ୍ରିଟ୍ମେଣ୍ଟ୍ ପ୍ଳାଣ୍ଟ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଷ୍ଟାଣ୍ଡି କମିଟିର ସଦସ୍ୟ ବିଧାୟକ ଅରବିନ୍ଦ ମହାପାତ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଅମର କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ, ନୀଳମଣୀ ବିଷୋୟୀ, ପବିତ୍ର ସାଉଣ୍ଟା ରହିଥିବା ବେଳେ ସେମାନଙ୍କ ସାଙ୍ଗରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କନ୍ଧ ଗୁଣ୍ଡୁରିବାଡି ଗ୍ରାମ ନିକଟରେ ଥିବା ଏକ ସେତୁ କାର୍ଯ୍ୟ ଦେଖିବା ସହ ତିଳିସିଙ୍ଗି ଓ ଜାମପଲ୍ଲୀ ଗ୍ରାମରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉପଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୧୧ଟି ବ୍ଳକର ପାନୀୟ ଜଳ ଯୋଗାଣ  ଲକ୍ଷ୍ୟ ରଖାଯାଇଛି । ତେବେ ଗତ ୨୦୨୩ ମସିହାରୁ ଏଥିପାଇଁ ଟେଣ୍ଡର ସରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ଶେଷ ଅବଧି ମଧ୍ୟ ଏହାରି ଭିତରେ ସରିଗଲାଣି । ତଥାପି ଆଜି ପର୍ଯ୍ୟନ୍ତ ମାତ୍ର ୨୮ ପ୍ରତିଶତ କାମ ହୋଇଥିବାରୁ କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲା । ଏଥିସହ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନେଇ ଆଲୋଚନା ହୋଇଥିବା ବେଳେ ଯେଉଁ ଠିକାଦାରମାନେ ଅଧାରରେ କାମ ଛାଡି ଦେଉଛନ୍ତି କିମ୍ବା ଜାଣିଶୁଣି ବିକାଶ କାମକୁ ବିଳମ୍ବ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏଥିସହ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚାଲିଥିବା ଆବସ ସର୍ଭେ, ଅନ୍ତୋଦୟ ଗୃହ ଯୋଜନା ସାଙ୍ଗକୁ ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ସଂର୍ପକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ସୂଚନା ଦେଇଥିଲେ । ଏଥିରେ ଆରଡ଼ବ୍ଳୁଏସ୍ଏସ୍ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଏସ୍କେ. ଦାଶ, ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଇଂ ବିକାଶ ପତି, ଭଞ୍ଜନଗର ନିର୍ବାହୀ ଯନ୍ତ୍ରୀ ଇଂ ମୁନା କଲୁଣ୍ଡିଆ, ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ରହ୍ମପୁର ସର୍କଲ ମୁଖ୍ୟ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ଖଟୁଆଙ୍କ ସମେତ ବିଭିନ୍ନ ବ୍ଳକର ବିଡିଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।