ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ରେ ଶନିବାର ଦିନ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଓ ଟାସ୍କ ଫୋର୍ସ କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଆହ୍ଵାନ କ୍ରମେ ଆୟୋଜିତ ବୈଠକରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ସବଇନ୍ସପେକ୍ଟର ବାସନ୍ତୀ ବେହେରା, ଏବିଇଓ ଗୋକୁଳାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ଟାସ୍କ ଫୋର୍ସ କମିଟିର ସମ୍ପାଦକ ତଥା ବିଡିଓ ଶ୍ରୀ ରଥ ଏହାର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସଂପର୍କରେ କହିବା ସହ ଅଞ୍ଚଳରେ ଘରୋଇ ହିଂସାକୁ ରୋକିବା ସହ ଯୌନ ନିର୍ଯାତନା, ଶିଶୁ ନିର୍ଯାତନା ସହ ଶିଶୁ ଶ୍ରମିକ ରୋକିବା ଆଦି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ସବୁ କାର୍ଯ୍ୟ କରିବା ପାଇଁ ଗ୍ରାମାଞ୍ଚଳ ସ୍ତରରେ କମିଟି ଗଠନ କରାଯାଇଥିବା ବେଳେ ପଞ୍ଚାୟତ, ବ୍ଲକ, ଜିଲା ଓ ରାଜ୍ୟ ସ୍ତରରେ ମଧ୍ୟ ଏହି ଟାସ୍କ ଫୋର୍ସ କମିଟି କାର୍ଯ୍ୟ କରୁଛି l ତଥାପି ସମାଜର ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତି, ସଚେତନ ନାଗରିକ ମାନଙ୍କର ଯଥେଷ୍ଟ ଭୂମିକା ରହିଛି ଏଣୁ କିଭଳି ଭାବେ ଏହି ଦାୟିତ୍ଵକୁ ଗୁରୁତ୍ବ ପୂର୍ଣ୍ଣ ଭାବେ କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଖୁବ୍ଶୀଘ୍ର କରାଯିବାକୁ ପ୍ରୟାସ ଚାଲିଥିବା ବୈଠକରେ କୁହାଯାଇଥିଲା । ବିଭିନ୍ନ ଧର୍ମାନୁଷ୍ଠାନ ସ୍ଥଳରେ ବାଲ୍ୟ ବିବାହକୁ ନା କହିବା ପୋଷ୍ଟର ଲଗାଇବାକୁ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ସଚେତନ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆୟୋଜିତ ବୈଠକରେ ଅଞ୍ଚଳର ଲୋକ ପ୍ରତିନିଧି, ଅଙ୍ଗନାୱାଡି କର୍ମୀ ଓ କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।